ଛତିଶଗଡ଼ରେ ବନ ବିଭାଗ ପକ୍ଷରୁ ଦୁଇଗୋଟି ଗାଁ ଖାଲି କରିବା ଘଟଣା….

* ଓଡ଼ିଶାରୁ କିଛି ଲୋକ ସେଠାରେ ଗାଁ ବସାଇଥିଲେ

 * ହଟିବା ପରେ ଯାଯାବର ପାଲଟିଛନ୍ତି ୮୦ ପରିବାର  

ରାଇଘର : ଓଡ଼ିଶା ସୀମାନ୍ତ ଛତିଶଗଡ଼ର ସୀତାନଦୀ ଅଭୟାରଣ୍ୟ ମଧ୍ୟରେ ଗଢି ଉଠିଥିବା ଜଂଗଲ ଗ୍ରାମ ଗୁଡ଼ିକକୁ କିଛି ଦିନ ପୂର୍ବେ ବନ ବିଭାଗ ପକ୍ଷରୁ ଖାଲି କରାଇବା ପରେ ସେଠାରେ ବସବାସ କରିଆସୁଥିବା ଓଡ଼ିଶାର କିଛି ପରିବାର ଏବେ ଯାଯାବର ପାଲଟି ଥିବା ଦେଖିବାକୁ ମିଳିଛି | ଦୀର୍ଘ ବର୍ଷ ଧରି ଜେଜେବାପା ଅମଳରୁ ଓଡ଼ିଶା ଛାଡି ଯାଇଥିବାରୁ ଏବେ ଏହିି ପରିବାର ଲୋକଙ୍କୁ ନିଜ ଭିଟାମାଟିରେ ସ୍ଥାନ ମିଳି ପାରୁନାହିଁ l ଫଳରେ ଏବେ ଏଠାକାର ପ୍ରାୟ ୮୦ ପରିବାର ଯାଯାବର ପାଲଟି ଥିବା ଦେଖିବାକୁ ମିଳିଛି l  ସୂଚନା ଅନୁଯାୟୀ ଗତ ମଇ ମାସ ୩ ତାରିଖ ଦିନ ଗାରିଆବନ୍ଧ ଜିଲ୍ଲାର ସାଇବାନୀ ପଂଚାୟତ ଅନ୍ତର୍ଗତ ସୀତାନଦୀ ଅଭୟାରଣ୍ୟ ଏବଂ ବୋଫର୍ ଜୋନ ମଧ୍ୟରେ ଦରିପାରା, ଦସପୁର, ସୋରନାମାଲ୍ ଓ ଇଚିରାଦି ଭଳି ପ୍ରାୟ ୮ ରୁ ୧୦ ଗୋଟି ଛୋଟବଡ଼ ଗ୍ରାମ ଉପରେ ଉଦନ୍ତୀ ବନ ବିଭାଗ ଚଢାଉ କରି ଜନବସତି ହଟାଇଥିଲା | ଫଳରେ ଉକ୍ତ ଗ୍ରାମ ଗୁଡ଼ିକରେ ବସବାସ କରିଆସୁଥିବା ଶହ ଶହ ପରିବାର ନିଜ ନିଜ ଭିଟାମାଟିକୁ ଫେରି ଯାଇଥିଲେ l ଏହି ପରିପେକ୍ଷୀରେ ଦସପୁର ଗ୍ରାମର ପ୍ରାୟ ୮୦ ପରିବାରର ଲୋକେ ଓଡ଼ିଶା ସ୍ଥିତ ଭିଟାମାଟିକୁ ଫେରିଛନ୍ତି ସତ କିନ୍ତୁ ସମାନଙ୍କୁ ନିଜ ନିଜ ଗ୍ରାମରେ ରହିବାକୁ ଆଉ ସ୍ଥାନ ନଥିବାରୁ ସେମାନେ ଏବେ ଯାଯାବର ପାଲଟିଛନ୍ତି l ପ୍ରକାଶ ଥାଉକି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଦେବାଗାଁ , ପାରୁଆ, ବୋବେଇ , ରାଇଘର , ବିରିସାଡ଼ି , ଛତାବେଡ଼ା , ତୁରୁଡିହି ଆଦି ଅଞ୍ଚଳରୁ ଗତ ୧୯୮୪ ମସିହାରେ କିଛି ଲୋକ ନିଜ ନିଜ ପିଲାଛୁଆଙ୍କୁ ନେଇ ଛତିଶଗଡ଼ର ସୀତାନଦୀ ଜଂଗଲ ମଧ୍ୟରେ ଚାଷବାସ କରି ରହିବାକୁ ଚାଲି ଯାଇଥିଲେ l ସେଠାରେ ଜଂଗଲ କାଟି ଚାଷ ଜମି ପ୍ରସ୍ତୁତ କରିବା ସହିତ ଝାଟିମାଟିର କୁଡ଼ିଆ ତିଆରି କରି ଦସପୁର ଗ୍ରାମ ନାମରେ ରହିବା ଆରମ୍ଭ କରିଥିଲେ | ଏହିି ଗ୍ରାମରେ ପ୍ରାୟ ୮୦ ପରିବାରର ମୋଟ ୨୩୬ ଲୋକ ରହି ଆସୁଥିବା ବେଳେ  କିଛି ବର୍ଷ ବ୍ୟବଧାନରେ ବନ ବିଭାଗ ପକ୍ଷରୁ ବାରମ୍ବାର ସେମାନଙ୍କୁ ଜଂଗଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆ ଯାଉଥିଲା l  ଏହି ପରିପେକ୍ଷୀରେ ସେ ଅଂଚଳର ବହୁ ଲୋକ ଜେଲ ମଧ୍ୟ ଯାଇ ଫେରିଥିବା ଜଣାପଡିଛି | ତଥାପି ସେମାନେ ଜବରଦଖଲ କରି ରହିବା ସହିତ କୋଦୋମାଲି ପଂଚାୟତ ଅଧିନରେ ଚାଉଳ କାର୍ଡ , ଭୋଟର କାର୍ଡ ଓ ଏପରିକି ଆଧାର କାର୍ଡ ମଧ୍ୟ କରି ସାରିଥିଲେ l ଅପରପକ୍ଷରେ କିଛି ଦିନ ପୂର୍ବରୁ ଉକ୍ତ ଗ୍ରାମବାସୀଙ୍କୁ ଜଂଗଲ ଛାଡ଼ିବାକୁ କଡ଼ା ନିର୍ଦ୍ଦେଶ ଦିଆ ଯାଇଥିବା ବେଳେ ମଇ ମାସରେ ବନ ବିଭାଗର କର୍ମଚାରୀ ମାନେ ଜୋର୍ ଜବରଦସ୍ତ ସେଠାରୁ ତଡ଼ି ଦେଇଥିଲେ | ଫଳରେ ବାଧ୍ୟ ହୋଇ ଛତିଶଗଡ଼ ଛାଡ଼ି ଓଡ଼ିଶାର ନିଜ ଭିଟାମାଟିକୁ ନିଜ ନିଜ ଜିନିଷପତ୍ର ଧରି ଫେରିଛନ୍ତି l ଏବେ ସେମାନଙ୍କୁ ନିଜ ଗ୍ରାମରେ ରହିବାକୁ ଜାଗା ମିଳୁ ନଥିବା ସହିତ ଛତିଶଗଡ଼ର ଭୋଟର କାର୍ଡ ଓ ଆଧାର କାର୍ଡ କୁ ନେଇ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି l ଓଡ଼ିଶାରେ ସେମାନଙ୍କୁ ସ୍ଥାନ ମିଳୁ ନଥିବା ବେଳେ ଛତିଶଗଡ଼ ଅନ୍ତର୍ଗତ ଯେ କୌଣସି ରାଜସ୍ୱ ଗ୍ରାମରେ କିମ୍ବା ଓଡ଼ିଶାର ଯେକୌଣସି ସ୍ଥାନରେ  ନିଜ ପରିବାର ଲୋକଙ୍କୁ ନେଇ ଥଇଥାନ କରାଇବାକୁ ଛତିଶଗଡ଼ରୁ ଫେରି ଆସିଥିବା ସେମଲାଲ୍ ଶବର , ନେହେରୁ ଶବର, ଭଜଲାଲ୍ ଶବର ,  କମଲସିଂ ଜଗତ, ଜହରୁ ଶବର , ଦେବିଲାଲ୍ ଶବର ,  ତିଲୁରାମ କୁଞ୍ଜାମ , ଗଞ୍ଚୁ ଯାଦବ , ସୁକୁଦାସ ମାର୍କମ ,  ଉଲ୍ଲାସ ଶବର, ସାଗାରାମ ଶବର ,  ଫୁଲସିଂ ଗଣ୍ଡ ଓ  ମେହେତର ନେତାମ ପ୍ରମୂଖ ଦାବୀ କରିଛନ୍ତି |

Leave A Reply

Your email address will not be published.

1 + 15 =