ଜେଲ୍ ଦଣ୍ଡ ଭୋଗୁଥିବା ନକ୍ସଲମାନେ ଦେବେ ବୋର୍ଡ ପରୀକ୍ଷା

* କାଙ୍କେର ହାଜତ ହେବ ପରୀକ୍ଷା କେନ୍ଦ୍ର

 * ୨୫ ରୁ ୩୦ କଏଦୀ ପରୀକ୍ଷା ଦେବେ 

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ରାଜ୍ୟ ଛତିଶଗଡ଼ର କାଙ୍କେର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି | ନକ୍ସଲ ଅଭିଯୁକ୍ତ ଭାବେ କାରାଦଣ୍ଡ ଭୋଗୁଥିବା କିଛି ଯୁବକଙ୍କୁ ଚଳିତ ବର୍ଷ ଦଶମ ଏବଂ ଦ୍ବାଦଶ ପରୀକ୍ଷା ଦେବାକୁ ଅନୁମତି ମିଳିଛି l ସେମାନେ କାଙ୍କେର ହାଜତ ମଧ୍ୟରେ ଥାଇ ସେଠାରେ ହିଁ ପରୀକ୍ଷା ଦେବେ ବୋଲି ସମସ୍ତ ବ୍ୟବସ୍ଥା କରାଯାଇଛି | ସୂଚନା ଅନୁଯାୟୀ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ଅଂଚଳରେ ନକ୍ସଲଙ୍କ କାର୍ଯ୍ୟକଳାପ ଲାଗି ରହିଥିବା ସହିତ ବିଭିନ୍ନ ସମୟରେ ପୁଲିସ ଫୋର୍ସର ଚଢାଉରେ କିମ୍ବା ଆତ୍ମସମର୍ପଣ କରିଥିବା କିଛି ନକ୍ସଲ ମାମଲାରେ ଜେଲ୍ ଦଣ୍ଡ ଭୋଗୁଥିବା କଏଦୀ ମାନଙ୍କ ପାଇଁ କାଙ୍କେର ପ୍ରଶାସନ ଏକ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି | କାଙ୍କେରର ଜେଲର୍‌ ଏସ.ଏଲ୍ ନାୟକ ପ୍ରକାଶ କରିଛନ୍ତି ଯେ ଜିଲ୍ଲାପାଳ ଡକ୍ଟର ପ୍ରିୟଙ୍କା ଶୁକ୍ଲାଙ୍କ ନିର୍ଦ୍ଦେଶ କ୍ରମେ କଏଦୀମାନଙ୍କୁ ବୋର୍ଡ ଶିକ୍ଷା ଦେବା ପାଇଁ ଏକ ପ୍ରସ୍ତାବ ପଠାଯାଇଥିଲା। ଏହାର ଅନୁମତି ମିଳିବା ପରେ କଏଦୀମାନେ ପ୍ରଥମ ଥର ପାଇଁ ହାଜତରେ  ବୋର୍ଡ ପରୀକ୍ଷା ଦେବାକୁ ଯାଉଛନ୍ତି। ପ୍ରଶାସନ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ନକ୍ସଲାଇଟ୍ ସମ୍ପର୍କିତ ହତ୍ୟା ଏବଂ ବଳାତ୍କାର ଅଭିଯୋଗରେ ଜେଲ ଦଣ୍ଡ ଭୋଗୁଥିବା କଏଦୀମାନଙ୍କ ପରୀକ୍ଷା ଫି ଜିଲ୍ଲା ପ୍ରଶାସନ ଦ୍ୱାରା ମିନେରାଲ୍ ଟ୍ରଷ୍ଟ ପାଣ୍ଠିରୁ ଜମା ହେବା ସହିତ ସେମାନଙ୍କୁ ସମନ୍ୱୟ କେନ୍ଦ୍ର ଦ୍ୱାରା ମାଗଣା ପୁସ୍ତକ ଦେବାର ବ୍ୟବସ୍ଥା କରାଯାଇଛି | ଷ୍ଟେଟ ଓପନ୍ ସ୍କୁଲର ପରୀକ୍ଷା ଫର୍ମ ଭର୍ତ୍ତି କରିଥିବା କଏଦୀମାନଙ୍କ ସହ ଆଲୋଚନା କରିବା ପରେ ଜଣାପଡିଥିଲା ଯେ କେହି କେହି ଦଶମ ଶ୍ରେଣୀ ଫେଲ୍ ହୋଇ ୨୦୨୦ ରୁ ଜେଲରେ ଥିବା ବେଳେ କେହି କେହି ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବର୍ଷେ ହେବ ଜେଲ ଦଣ୍ଡ ଭୋଗୁଛନ୍ତି ସେମାନେ ମଧ୍ୟ ଦ୍ବାଦଶ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ଚଲାଇଛନ୍ତି l ସେମାନେ ଏବେ ଫର୍ମ ପୂରଣ କରି ସାରିଛନ୍ତି l ୨୫ ରୁ ୩୦ ଜଣ କଏଦୀ ଏହି ପରୀକ୍ଷା ଦେବାକୁ ରାଜି ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୨ ଜଣ ଯୁବକ ଫର୍ମ ପୂରଣ କରି ସାରିଛନ୍ତି l  ସେଥିମଧ୍ୟରୁ ୯ ଜଣ ଦଶମ ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ୩ଜଣ କଏଦୀ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ଜଣାପଡିଛି | ସପ୍ତାହର ପ୍ରତି ସୋମବାର ଦିନ ପରେଡ ପରେ କଏଦୀମାନଙ୍କୁ ପରୀକ୍ଷା ନିମନ୍ତେ ଫର୍ମ ପୂରଣ କରାଯାଉଛି l ସେମାନଙ୍କର ପରୀକ୍ଷା ଦୁଇଟି ସେମିଷ୍ଟାର ମଧ୍ୟରୁ ପ୍ରଥମ ସେମିଷ୍ଟାର ସେପ୍ଟେମ୍ବର ୨୦୨୩ରେ ଏବଂ ଶେଷ ସେମିଷ୍ଟାର ଅପ୍ରିଲ ୨୦୨୪ ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ସେମାନେ ପଢା ପଢ଼ି ଆରମ୍ଭ କରିସାରିଛନ୍ତି l ସେମାନଙ୍କ ନିମନ୍ତେ କାଙ୍କେର ଜେଲକୁ ପରୀକ୍ଷା କେନ୍ଦ୍ର ଭାବେ ପ୍ରସ୍ତୁତ କରାଯିବ ସହିତ ସମସ୍ତଙ୍କୁ ଏକ ନୂତନ ଜୀବନ ଆରମ୍ଭ କରିବାର ସୁଯୋଗ ମିଳିବା ଉଚିତ ଏବଂ ସେମାନେ ମଧ୍ୟ ଆଗକୁ ବଢିବା ଆବଶ୍ୟକତା ରହିଛି ବୋଲି ବୋଲି ଜିଲ୍ଲାପାଳ ଡକ୍ଟର ପ୍ରିୟଙ୍କା ଶୁକ୍ଲା ପ୍ରକାଶ କରିଛନ୍ତି | 

Leave A Reply

Your email address will not be published.

eight − 1 =