ନୂଆଦିଲ୍ଲୀ : ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କିର୍ତ୍ତୀମାନ ସ୍ଥାପିତ କରି ଭାରତ ସଫଳତାର ସହିତ ଚନ୍ଦ୍ରଯାନ-୩ ଉତକ୍ଷେପଣ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋର ବୈଜ୍ଞାନିକମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି । ରାଷ୍ଟ୍ରପତି ଟ୍ୱିଟ୍ କରି ଯେଉଁ ବୈଜ୍ଞାନିକ ଦଳ ଏବଂ ସମସ୍ତେ ଯେଉଁମାନେ ଏହି ସଫଳତା ହାସଲ କରିବା ପାଇଁ ନିରନ୍ତର କାର୍ଯ୍ୟ କରିଥିଲେ ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗତି ପାଇଁ ଏହା ଦେଶର ଅଦମ୍ୟ ପ୍ରତିବଦ୍ଧତାକୁ ଦର୍ଶାଉଛି । ଚନ୍ଦ୍ର ମିଶନର ସଫଳତା ପାଇଁ ରାଷ୍ଟ୍ରପତି ଟ୍ୱିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ସମ୍ପ୍ରତି ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଇସ୍ରୋର ସଫଳତା ପାଇଁ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ ଏବଂ ଅଭିଳାଷକୁ ଉଚ୍ଚ ଶିଖରରେ ପହଞ୍ଚାଇଛି । ଏହି ମହାନ ଉପଲବ୍ଧି ଓ ସଫଳତା ଆମର ବୈଜ୍ଞାନିକମାନଙ୍କ ନିରନ୍ତର ଉତ୍ସର୍ଗର ପ୍ରମାଣ । ମୁଁ ସେମାନଙ୍କର ଉତ୍ସାହ ଏବଂ ବୈଜ୍ଞାନିକ ଚିନ୍ତାଧାରାକୁ ସାଲ୍ୟୁଟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।