୪ଲକ୍ଷ ୯୬ ହଜାର ଟଙ୍କାର ଡକାୟତି ଡ୍ରାମାର ପରଦାଫାସ କଲା ନନ୍ଦପୁର ପୋଲିସ

ସମସ୍ତ ଟଙ୍କା ସହ କାର ଜବତ, ୪ ଗିରଫ

କୋରାପୁଟ : ମାଲକାନଗିରି ରୁ ବିଡି ନେଇ ବିଜୟନଗର ଯାଇଥିଲେ। ଫେରିବା ବେଳେ ବିଡି ବାବଦକୁ ଆଣିଥିବା ପ୍ରାପ୍ୟ ୪ଲକ୍ଷ ୯୬ହଜାର ଟଙ୍କାକୁ ଲୁଟ ହେବାର ନାଟକ ଭିଆଇ ମାଲିକଙ୍କୁ ଖବର ଦେଇଥିଲେ ଗାଡ଼ିର ଚାଳକ। ମାଲିକଙ୍କ ଏତଲା କ୍ରମେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶ ମତେ ନନ୍ଦପୁର ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଘଟଣାର ୨୪ଘଣ୍ଟା ନ ପୁରୁଣୁ ଡକାୟତି ଡ୍ରାମାର ପରଦା ଫାସ କରିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ଲୁଟ ହୋଇଥିବା ୪ଲକ୍ଷ ୯୬ଟଙ୍କା ସହ ଦୁଇ ଗୋଟି ମୋବାଇଲ ଓ ଲୁଟରେ ବ୍ୟବହୃତ ଓଡି୧୫ ଏମ ୩୦୮୦ ନମ୍ବର ବିଶିଷ୍ଟ ସ୍ଵିଫ୍ଟ ଡିଯାଇର କାର ଜବତ କରାଯାଇ ଥିବା ସୂଚନା ଶନିବାର ନନ୍ଦପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନନ୍ଦପୁର ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ତାଙ୍କ ସୂଚନା ମୁତାବକ ୧୩ ତାରିଖ ରାତି ୨ ଘଣ୍ଟିକା ସମୟରେ ନନ୍ଦପୁର ଥାନା ରାଣୀତୋଟା ଫାଣ୍ଡି ଅଧିନ ରାଜ୍ୟ ରାଜପଥର ମାଳିପେଟା ଗ୍ରାମ ନିକଟରେ ମାଲକାନାଗିରି ରୁ ବିଡି ନେଇ ବିଜୟ ନଗର ଯାଇ ଟଙ୍କାଧରି ଫେରୁଥିବା ମାକ୍ସ ପିକଅପ ଗାଡ଼ି ଲୁଟର ଶିକାର ହୋଇ ଗାଡ଼ି ଚାଳକଙ୍କୁ ମାଡ ଓ ନଗଦ ୪ ଲକ୍ଷ ୯୬ ହଜାର ଟଙ୍କା ଲୁଟ ହୋଇଥିବା ସମ୍ପର୍କରେ ମାଲକାନଗିରି ରୁ ଆସି ମାଲିକ ଉତ୍ତମ ଦେ ୧୪ ତାରିଖ ଶୁକ୍ରବାର ଦିନ ୧୨ ଘଣ୍ଟିକା ସମୟରେ ନନ୍ଦପୁର ଥାନାରେ ଏତଲା ଦେଇଥିଲେ। ଯାହାକୁ ଗୁରୁତର ସହ ବିଚାର କରି ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶ ମତେ ନନ୍ଦପୁର ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ରଙ୍କ ନେତୃତ୍ବରେ ନନ୍ଦପୁର, ଲମତାପୁଟ, ପାଡୁଆ ଥାନାଧିକାରୀ ଙ୍କୁ ନେଇ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ପ୍ରାରମ୍ଭିକ ତଦନ୍ତ ସମୟରେ ଶ୍ରୀ ଦେ ଙ୍କ ବହୁଦିନର ମ୍ୟାକ୍ସ ପିକଅପ ଗାଡ଼ି ଚାଳକ ମନୋଜ ମଣ୍ଡଳଙ୍କ ଉପରେ ସମସ୍ତଙ୍କ ସନ୍ଦେହ ସୃଷ୍ଠି ହୋଇଥିଲା। ଶେଷରେ ଜେରା ବେଳେ ଭାଙ୍ଗି ପଡ଼ିଥିଲେ ଚାଳକ ମନୋଜ। ନିଜର ଦୋଷ ସ୍ୱୀକାର କରି ଲୁଟର ନାଟକ କରିଥିବା ସୂଚନା ଦେଇଥିଲେ। ଟଙ୍କା ଧରି ଆସୁଥିବା ବେଳେ ରାସ୍ତାରେ ଅଟକାଇ ମିଛ ମାଡ ମାରି ଟଙ୍କା ଛଡ଼ାଇ ନେବାକୁ ଯୋଜନା କରିଥିବା କହିଥିଲେ। ଲୁଟ ନାଟକ ରେ ସଂପୃକ୍ତ ମାଲକାନଗିରି ଅଞ୍ଚଳର ପ୍ରଣବ ମଣ୍ଡଳ, ଦିନେଶ ଗୁଡ଼ିଆ, ଲୁଟ ରେ ବ୍ୟବହୃତ ସ୍ୱିଫ୍ଟ ଡିଯାଇର ଗାଡ଼ି ଓ ଚାଳକ ଦେବାଶିଷ ବାଲାଙ୍କ ନାମ କହିଥିଲେ। ଫଳତଃ ସଙ୍ଗେ ସଙ୍ଗେ ପୋଲିସ ସଂପୃକ୍ତ ତିନି ଜଣଙ୍କୁ ଗିରଫ କରିଥିଲା ନନ୍ଦପୁର ପୋଲିସ। ସେମାନଙ୍କ ଠାରୁ ନଗଦ ୪ଲକ୍ଷ ୯୬ହଜାର ଟଙ୍କା, ୨ ଗୋଟି ମୋବାଇଲ ଓ କାରଟିକୁ ଜବତ କରାଯାଇ ଥିଲା। ନନ୍ଦପୁର ଥାନାରେ କେସ ନ ୮୩ ପ୍ରକାରେ ମାମଲା ରୁଜୁ କରାଯାଇ ଏସଆଇ ବେଦୋବର ସାହୁଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଆସନ୍ତା କାଲି ସମସ୍ତଙ୍କୁ ଅଦାଲତ ଚାଲାଣ କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ରଙ୍କ ସମେତ ନନ୍ଦପୁର ଥାନାଧିକାରୀ ପ୍ରଫୁଲ୍ଲ ଲାକ୍ରା, ପାଡୁଆ ଥାନାଧିକାରୀ ସବ୍ୟସାଚୀ ଶତପଥୀ, ତଦନ୍ତ କରୁଥିବା ଏସଆଇ ବେଦୋବର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ୨୪ ଘଣ୍ଟା ନପୁରୁଣୁ ଡକାୟତି ମାମଲାର ତ୍ୱରିତ ସମାଧାନ କରିଥିବା ନନ୍ଦପୁର ପୋଲିସ ଦଳକୁ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ସମେତ ସାଧାରଣରେ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.

thirteen − five =