କୋରାପୁଟ : ଓଡିଶା ସାହିତ୍ୟ ଏକାଡେ଼ମୀ ତରଫରୁ ୬୬ତମ ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ଏକ ରାଜ୍ୟସ୍ତରୀୟ ସାରସ୍ଵତ କବିତା ଆବୃତ୍ତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟର ସପ୍ତମ ଶ୍ରେଣୀ ଛାତ୍ରୀ କୁମାରୀ ଆଇ. ଜେ. ପ୍ରାପ୍ତି ଭାଲେଣ୍ଟିନା କୋରାପୁଟ ଜିଲ୍ଲା ତରଫରୁ ଉକ୍ତ ପ୍ରତିଯୋଗୀତାରେ କନିଷ୍ଠ ବର୍ଗରେ ଭାଗ ନେଇ ସାରା ରାଜ୍ୟରେ ଦ୍ବିତୀୟ ସ୍ଥାନ ହାସଲ କରିପାରିଛନ୍ତି। ତା ୨୫.୦୭.୨୦୨୩ ରିଖ ମଙ୍ଗଳବାର ଦିନ ରବୀନ୍ଦ୍ରମଣ୍ଡପ , ଭୁବନେଶ୍ୱର ଠାରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ଶ୍ରୀ ଅଶ୍ଵିନୀ କୁମାର ପାତ୍ର, ମାନ୍ୟବର ମନ୍ତ୍ରୀ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଅବକାରୀ ବିଭାଗ ଓଡ଼ିଶା ସରକାରଙ୍କ ଦ୍ଵାରା ପୁରସ୍କୃତ ହୋଇ ଜନୈକା ଛାତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟ ତଥା କୋରାପୁଟ ଜିଲ୍ଲା ପାଈଁ ସୁନାମ ଅର୍ଜନ କରିଛନ୍ତି। ପ୍ରକାଶ ଥାଉ କି, କୁମାରୀ ଆଇ. ଜେ. ପ୍ରାପ୍ତି ଭାଲେଣ୍ଟିନା ହେଉଛନ୍ତି ଓଡ଼ିଶା ପୋଲିସ, କୋରାପୁଟ ରେ କାର୍ଯ୍ୟରତ ଶ୍ରୀ ଜିତେନ୍ଦ୍ର କୁମାର ଦାଶ ଓ ଶ୍ରୀ ଇତିଶ୍ରୀ ଦାଶଙ୍କ ପୁତ୍ରୀ ଅଟନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟର ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ବିଶ୍ଵାଳ ତଥା ଅନ୍ୟ ଶିକ୍ଷକ ଓ ଛାତ୍ର ଛାତ୍ରୀ ଭୂୟସୀ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।