ଯୋଡ଼ା : ଛତୁ ଚାଷ ଏକ ଅର୍ଥକାରୀ ଚାଷ । ଏହାକୁ ଚାଷୀମାନେ ବାରମାସ ଉତ୍ପାଦନ କରି ପାରିବେ । ଏହାର ବଜାର ଦର ମଧ୍ୟ ଠିକ୍ ଅଛି । ଚାଷୀ ମାନଙ୍କ ଉନ୍ନତି ପାଇଁ ଓଡିଶା ଖଣିନିଗମ ତିରିଂ ପାହାଡ ଲୌହ ଖଣି ତରଫରୁ କୁନ୍ଦୁରିପାଣି ଗ୍ରାମ ସଭା ଗୃହରେ ଛତୁ ଚାଷ ଉପରେ ଏକ ଦକ୍ଷତା ଵୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଖଣି ପାରିପାର୍ଶ୍ବିକ ଗ୍ରାମରେ ଲୋକମାନଙ୍କର ଦକ୍ଷତା ଵୃଦ୍ଧି କରି ସେମାନଙ୍କୁ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ବିଭିନ୍ନ ପ୍ରକାର ଦକ୍ଷତା ଭିତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଛତୁ ଚାଷ ଉପରେ ଦକ୍ଷତା ଵୃଦ୍ଧି ତାଲିମ ଆୟୋଜନ କରାଯାଇ ଗ୍ରାମର ମୋଟ ୪୦ ଜଣ ମହିଳା ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ତାଲିମ ଦାତା ଭାବରେ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ, କେନ୍ଦୁଝରର ସ୍ୱୀକୃତି ପ୍ରାପ୍ତ ପ୍ରଶିକ୍ଷିକ ଗୋପାଳ ଚନ୍ଦ୍ର ମହାନ୍ତ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଚାଷୀମାନଙ୍କୁ ଛତୁ ଚାଷ କିଭଳି କରାଯିବ,ଆବଶ୍ୟକୀୟ ଜ୍ଞାନ,ଛତୁ ମଞ୍ଜି,ସାର, ପ୍ରୋତ୍ସାହନ ରାଶିଉପରେ ବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ । ଉପସ୍ଥିତ ଚାଷୀମାନଙ୍କୁ ଛତୁ ଚାଷ ଦ୍ୱାରା ଚାଷୀମାନେ କିଭଳି ଆର୍ଥିକ ଲାଭାନ୍ବିତ ହୋଇପାରିବେ ବୋଲି ସେନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ଓଡିଶା ଖଣି ନିଗମ ତରଫରୁ ତିରିଂପାହଡ ଖଣି ପ୍ରବନ୍ଧକ ଜଗନ୍ନାଥ ପାତ୍ର, ସିଏସଆର ପରାମର୍ଶଦାତା ନୂତନ ରାଉତ, ପ୍ରବନ୍ଧକ ପୁଲକ ରଞ୍ଜନ ନାୟକ ଯୋଗ ଦେଇଥିଲେ ।