କାର୍ଗୋ ପରିଚାଳନାରେ ଧାମରା ପୋର୍ଟର ରେକର୍ଡ ପରେ ରେକର୍ଡ

ଏକ ମାସ ମଧ୍ୟରେ ଦୁଇଟି ରେକର୍ଡକୁ ଅତିକ୍ରମ

ଧାମରା : କାର୍ଗୋ ପରିଚାଳନାରେ ରେକର୍ଡ ପରେ ରେକର୍ଡ କରିଚାଲିଛି ଆଦାନୀ ଧାମରା ପୋର୍ଟ । ଆଦାନି ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ଅଧିନରେ ଥିବା ଧାମରା ପୋର୍ଟ କର୍ପୋରେସନ୍ ଲିମିଟେଡ୍ କାର୍ଗୋ ପରିଚାଳନା କ୍ଷେତ୍ରରେ ଗତ ଏକ ମାସ ମଧ୍ୟରେ ଦୁଇ ଦୁଇଟି ରେକର୍ଡ ହାସଲ କରିଛି । ଗତ ଅକ୍ଟୋବର ମାସ ୨୭ ତାରିଖରେ ୨,୫୮,୨୧୪ ମେଟ୍ରିକ ଟନ୍ କାର୍ଗୋ ପରିଚାଳନା କରି ଧାମରା ପୋର୍ଟ ସର୍ବକାଳୀନ ରେକର୍ଡ କରିଛି । ଗତ ଅକ୍ଟୋବର ମାସ ୧୧ ତାରିଖରେ ୨,୨୬,୬୧୦ ମେଟି୍ରକ ଟନ୍ କାର୍ଗୋ ପରିଚାଳନା କରି ପୂର୍ବର ସମସ୍ତ ରେକର୍ଡ ଅତିକ୍ରମ କରିଥିଲା । ସେହିପରି ଚଳିତ ବର୍ଷ ମେ ମାସ ୩୦ ତାରିଖରେ ଧାମରା ପୋର୍ଟ ୧,୮୫,୮୫୬ ମେଟ୍ରିକ ଟନ୍ କାର୍ଗୋ ପରିଚାଳନା କରିଥିଲା । ଏଥିସହ ଆମଦାନୀ ଓ ରପ୍ତାନୀ କ୍ଷେତ୍ରରେ ଧାମରା ପୋର୍ଟ ପୂର୍ବ ଭାରତର ଏକ ବିକଶିତ ବନ୍ଦର ଭାବରେ ନିଜକୁ ପ୍ରତିପାଦିତ କରିପାରିଛି ଏବଂ ଆଗାମୀ ଭବିଷ୍ୟତରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠିତ କରିବା ନେଇ ପ୍ରଚେଷ୍ଟା ଜାରି ରଖିଛି । ଧାମରା ପୋର୍ଟର ଏହି ସଫଳତାକୁ ନେଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବେନ୍ଦ୍ର ଠକ୍କର ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ କର୍ତବ୍ୟନିଷ୍ଠ ହିଁ ପୋର୍ଟକୁ ସଫଳତା ପରେ ସଫଳତା ଦେଇଚାଲିଛି । ଆଗାମୀ ଦିନରେ ଧାମରା ପୋର୍ଟ ଆହୁରି ଅନେକ ରେକର୍ଡ ହାସଲ କରିବା ନେଇ ସେ ଦୃଢନିଶ୍ଚିତ ଥିବା କହିଛନ୍ତି । ଆଦାନି ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ (ଏପିଏସ୍ଇଜେଡ୍) ହେଉଛି ଭାରତର ସର୍ବବୃହତ୍ ବନ୍ଦର ଓ ଲଜିଷ୍ଟିକ୍ କମ୍ପାନୀ ଯାହା ଦେଶର ଏକ ଚତୁର୍ଥାଂଶ କାର୍ଗୋ ପରିଚାଳନା କରିଥାଏ । ଦେଶର ଗୁଜରାଟ, ମହାରାଷ୍ଟ୍ର, ଗୋଆ, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ ଓଡ଼ିଶା ଆଦି ୭ଟି ରାଜ୍ୟର ୧୩ଟି ଘରୋଇ ବନ୍ଦର ଏପିଏସ୍ଇଜେଡ୍ ଦ୍ୱାରା ପରିଚାଳିତ । ଅତ୍ୟାଧୁନିକ ଭିତ୍ତିଭୂମି, ସ୍ୱଂୟଚାଳିତ ଉଚ୍ଚକ୍ଷମତା ସମ୍ପନ୍ନ ମେସିନ୍ର ବ୍ୟବହାର ଏପିଏସ୍ଇଜେଡ୍ର ବନ୍ଦରଗୁଡ଼ିକୁ କେବଳ ଯେ ଉକ୍ରୃଷ୍ଟ କରିଛି ତାହା ନୁହେଁ ବରଂ ଭାରତୀୟ ଉପକୂଳରେ ବୃହତ୍ ଜାହାଜଗୁଡ଼ିକ ପରିଚାଳନା କରିବାରେ ସକ୍ଷମ । ଏଥିସହ ଏପିଏସ୍ଇଜେଡ୍ ସର୍ବଦା ନିଜର କର୍ମଚାରୀଙ୍କ ସୁରକ୍ଷା ପ୍ରତି ପ୍ରତିଶ୍ରୁତିବଦ୍ଧ ।

Leave A Reply

Your email address will not be published.

fourteen − 6 =