ଅଭାବି ବିକ୍ରିର ଶିକାର ହେଉଛନ୍ତି କପା ଚାଷୀ

ଗୋଲାମୁଣ୍ଡା : ଭାରତ ନୁହେଁ କି ଓଡିଶା ନୁହେଁ, ସମଗ୍ର ଏସିଆ ମହାଦେଶ ମଧ୍ୟରେ କଳାହାଣ୍ଡି ଜିଲ୍ଲାର କପାକୁ ଉତ୍କୃଷ୍ଟ ମାନର କପା ବୋଲି ଆଖ୍ୟା ଦିଆଯାଇଛି । କିନ୍ତୁ ଏହି ଧଳା ସୁନା ଏବେ ଦଲାଲଙ୍କ ହାତରେ ଲାଗିଛି । ଏପଟେ ବଜାର ବ୍ୟବସ୍ଥା ନ ଥିବାରୁ ଚାଷୀ ଦଲାଲଙ୍କ ହାତରେ କମ ରେଟରେ ଟେକି ଦେଉଛନ୍ତି । ଯାହା ଫଳରେ ଚାଷୀ ଅଭାବ ବିକ୍ରିର ଶିକାର ହେଉଛନ୍ତି । ଅନ୍ୟପଟେ ଦଲାଲ ଚାଷୀଙ୍କୁ ମିଠା ମିଠା କଥାକହି କପାକୁ କମ ରେଟରେ କିଣି ମହାରାଷ୍ଟ୍ରକୁ ଚାଲାଣ କରି ମାଲେମାଲ ହେଉଛିନ୍ତି । କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକରେ ଚଳିତ ବର୍ଷ ୧୫ ହଜାର ୫୩୦ ହେକ୍ଟର ଜମିରେ କପା ଚାଷ କରଯାଇଛି । ବର୍ତ୍ତମାନ କପା ଅମଳ ହୋଇଥିବା ବେଳେ ଗାଁ ଗାଁ ରେ ଦଲାଲ ମାନେ କପା କିଣା ଆରମ୍ଭ କରିଦେଲେଣି । ଏହି ଦଲାଲ ମାନେ ବିଭିନ୍ନ ସ୍ଥାନରେ ଗୋଦାମ କରି ରଖିବା ପରେ ମହାରଷ୍ଟ୍ର କୁ ଚାଲାଣ କରୁଛନ୍ତି । ଚଳିତ ବର୍ଷ କପାର ସହାୟକ ମୁଲ୍ୟ କୁଇଣ୍ଟାଲ ପିଛା ୭ ହଜାର ୨୦ ଟଙ୍କା ରହିଛି । ହେଲେ ବର୍ତ୍ତମାନ ଦଲାଲ ମାନେ ୬ ହଜାର ୫୦୦ ଟଙ୍କା ରେ କପା କିଣିଥିବା ଜଣାପଡିଛି । କପା ଏକ ଵ୍ୟୟ ବହୁଳଚାଷ ହୋଇଥିବାରୁ ଭାଗଚାଷୀ ଓ ଛୋଟଚାଷୀ ଧାରକରଜ କରି ଏହି ଚାଷ କରିଥାନ୍ତି । ତେଣୁ କପା ଅମଳ ହେଉ ହେଉ ଚାଷୀ ବିକ୍ରି କରିବା ପାଇଁ ହରବର ହୋଇଥାନ୍ତି । ବର୍ତ୍ତମାନ ଚାଷୀ ୫୦ ପ୍ରତିଶତ କପା ଅମଳ କରିସାରିଲେଣି । ତେବେ ରଖିବା ପାଇଁ ସ୍ଥାନ ନାହିଁ । ତେଣୁ ଅନେକ ଚାଷୀ କପା ବିକ୍ରି କରିଦେଉଥିବା ଜଣା ପଡିଛି । ପ୍ରଶାସନର ନାକ ତଳେ ଦଲାଲମାନେ କମ ଦରରେ କପା କିଣି ମହାରଷ୍ଟ୍ରକୁ ଚାଲାଣ ହେଉଥିବା ବେଳେ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ବିଚରା ଚାଷୀ ହିଁ ପେଷି ହେଉଛନ୍ତି । ତୁରନ୍ତ ରାଜ୍ୟ ସରକାର ଏନେଇ ପଦକ୍ଷେପ ନେବାକୁ ଚାଷୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.

seventeen − 15 =