ବ୍ୟାସନଗର : ସବୁଜ କୋରେଇ ଓ ସମୃଦ୍ଧ କୋରେଇ ଗଢିବା ଲକ୍ଷ ନେଇ ସବୁଜ କୋରେଇ ଆରମ୍ଭ ହୋଇଥିଲା । ବିଗତ ୬ ମାସ ଧରି କୋରେଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ବୃକ୍ଷ ରୋପଣ କରାଯାଇଥିଲା । ସେହିପରି ଆଜି କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋରେଇ ବ୍ଲକ୍ ପାଣିକୋଇଲି ଗ୍ରାମପଞ୍ଚାୟତ ଚାନ୍ଦପୁର ଗ୍ରାମର ଲକ୍ଷ୍ମୀନୃସିଂହ ମନ୍ଦିରଠାରୁ ଏକ ବିଶାଳ ମଟରସାଇକେଲ ଶୋଭାଯାତ୍ରାରେ କୋରେଇର ପୂର୍ବତନ ବିଧାୟକ ବର୍ତ୍ତମାନ ଓଡିଶା ସରକାରଙ୍କର ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକଙ୍କୁ ପାଣିକୋଇଲି, ଅଳତିରୀ ଗ୍ରାମ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଶ୍ରୀ ଆକାଶ ଦାସନାୟକ ଚାନ୍ଦପୁର ଗ୍ରାମର ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରାଙ୍ଗଣରେ ଗ୍ରାମର ମୁରବୀ ଓ ମା’ମାନଙ୍କ ସହିତ ବୃକ୍ଷରୋପଣ କରିଥିଲେ । ପାଣିକୋଇଲି, ଅଳତିରୀ ଗ୍ରାମରେ ୪୦୦୦ ବୃକ୍ଷ ବଣ୍ଟନ କରାଯାଇଥିଲା । ପିଜୁଳି, ଆମ୍ବ, ପଣସ ଆଦି ଫଳବୃକ୍ଷ ବଣ୍ଟନ କରାଯାଇଥିଲା । ବର୍ତ୍ତମାନ ଜଳବାୟୂ ପରିବର୍ତ୍ତନ ଯୋଗୁ ବିଭିନ୍ନ ପ୍ରକାର ପ୍ରାକୃତିକ ଦୁର୍ବିପାକ ଘଟୁଛି । ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଧନଜୀବନ ହାନୀ ହେଉଛି । ଗଛ ଲଗାଇବା ଦ୍ୱାରା ଏହିସବୁ ସମସ୍ୟାରୁ କିଛିମାତ୍ରାରେ ମୁକ୍ତି ମିଳିପାରିବ ବୋଲି ଆଶା ବାନ୍ଧିଛନ୍ତି ଶ୍ରୀ ଦାସନାୟକ । ରାସ୍ତାରେ ଯାତାୟତ କରୁଥିବା ପଥଚାରୀମାନେ ଟିକେ ବିଶ୍ରାମ ନେଇପାରିବେ ଏବଂ ଫଳ ଫଳିଲେ ତା’ର ଫଳ ଖାଇ ଲୋକେ ଭୋକ ମେଣ୍ଟାଇ ପାରିବେ ବୋଲି ଶ୍ରୀ ଦାସନାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପାଣିକୋଇଲି ଗ୍ରାମପଞ୍ଚାୟତର ପୂର୍ବତନ ସରପଂଚ ବିଷ୍ଣୁଚରଣ ରାଉତ, କଳ୍ପତରୁ ମହାପାତ୍ର, ସୂର୍ଯ୍ୟମଣି ପଣ୍ଡା, ରାଜକିଶୋର ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।