ଆଜିଠୁ ଆରମ୍ଭ ହେଲା ଐତିହାସିକ ବ୍ୟାସ ସରୋବର ମହୋତ୍ସବ

  • ଯୋଗଦେବେ ଓଲିଉଡ଼ର ନାମିଦାମୀ କଳାକାର

ବ୍ୟାସନଗର : ଚଳିତ ବର୍ଷ ଧୂମଧାମରେ ଆରମ୍ଭ ହେବାକୁ ଯାଉଛି ବ୍ୟାସ ସରୋବର ମହୋତ୍ସବ l ଚଳଚଞ୍ଚଳ ହୋଇଉଠିଛି ବ୍ୟାସନଗର ସହର l ଏନେଇ ଆଜି ପୌରପରିଷଦ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଅନୁଷ୍ଠିତ ସମ୍ମିଳନୀଟି ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିବାବେଳେ ଏଥିରେ ବ୍ୟାସନଗର ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର ଯୋଗଦେଇ ସ୍ୱାଭିମାନୀ ବ୍ୟାସନଗର ମାଟିର ପରିଚୟ ସାଜିଥିବା ବ୍ୟାସ ସରୋବର ମହୋତ୍ସବ କିପରି ସରସ ସୁନ୍ଦର ଓ ଆକର୍ଷଣୀୟ ହୋଇପାରିବ  ଏହାକୁ ନେଇ ବକ୍ତବ୍ୟରେ କହିଥିଲେ l ବ୍ୟାସ ସରୋବର ମହୋତ୍ସବ ଆଜି ୨0 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୧ ତାରିଖରେ ଶେଷ ହେବ l ତେବେ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଜି ସକାଳ ୭ ଟାରୁ ଆରମ୍ଭ ହୋଇଛି ବ୍ୟାସ ମାରାଥନ l ଏହି ମାରାଥନ ରାଜୀବ ଗାନ୍ଧୀ ଷ୍ଟାଡିୟମରୁ ଆରମ୍ଭ ହୋଇ ବ୍ୟାସ ସରୋବରରେ ଶେଷ ହେବ l ଏଥିରେ ସମସ୍ତ ଯୁବ ବର୍ଗଙ୍କ ସହ ବରିଷ୍ଠ ନାଗରିକ ମାନେ ସାମିଲ ହେବେ l ଉକ୍ତ ମାରାଥନକୁ ଉଦଘାଟନ କରିବେ କୋରାଇ ବିଧାୟକ ଅଶୋକ ବଳଙ୍କ ସହ ଯାଜପୁର ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତ ଓ ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ ପ୍ରମୁଖ ଯୋଗଦେବେ l ତେବେ ବ୍ୟାସ ସରୋବର ମହୋତ୍ସବ ଦୀର୍ଘ ୧୧ ଦିନ ଧରି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସାହିତ୍ୟ ଆସର, ଆଧୁନିକ ଏବଂ ପାରମ୍ପରିକ ନୃତ୍ୟଗୀତର ସଂଯୋଜନା ଓ ଆଞ୍ଚଳିକ କଳାକାରଙ୍କୁ ପ୍ରତିଭା ବିକାଶ ନିମନ୍ତେ ସୁଯୋଗ ଦିଆଯିବ ବୋଲି ସମ୍ମିଳନୀରେ କୁହାଯାଇଛି l ଉତ୍ସବରେ ୫0 ରୁ ଉର୍ଦ୍ଧ ଷ୍ଟଲ ଲାଗିଥିବା ବେଳେ ଏଥିରେ ପଲ୍ଲିଶ୍ରୀ ମେଳା ସହିତ ରାଘବ ଜୀୟୁଙ୍କ ମନ୍ଦିରରେ ରୀତିନୀତି ମୁତାବକ ପୂଜାର୍ଚନା ଓ ଭଜନ କୀର୍ତ୍ତନ ଜାରି ରହିବ l ତେବେ ଚଳିତ ବର୍ଷ ମଧ୍ୟ ଓଡ଼ିଆ ଚଳଚିତ୍ର ଜଗତର ନାମୀ ଦାମୀ କଳାକାର ମାନେ ଯୋଗଦେବେ ବୋଲି କୁହାଯାଇଛି l ତେଣୁ ଲକ୍ଷାଧିକ ଦର୍ଶଙ୍କ ସମାଙ୍ଗମ ଲାଗି ରହିବାର ଆଶା କରାଯଇଥିବା ବେଳେ ସୁରକ୍ଷା ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା କୁହାଯାଇଛି l ଏବେ ମହୋତ୍ସବର ପ୍ରଥମ ସନ୍ଧ୍ୟା ଉଦ୍ଘାଟନୀ ଦିବସରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ବିଧାୟକ ଅଶୋକ ବଳ, ଯାଜପୁର ଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର, ଯାଜପୁର ପ୍ରକଳ୍ପ ନିର୍ଦେଶକ ଅଶୋକ ବେହୁରିଆ ପ୍ରମୁଖ ଯୋଗ ଦେଉଥୁବା ବେଳେ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଓଡିଶା ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ ଅଶୋକ ବଳ ଓ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ରଞ୍ଜନ କୁମାର ଦାସ ପ୍ରମୁଖ ଯୋଗଦେବାର ପୌରପରିଷଦ ତରଫରୁ ସୂଚନା ରହିଛି l ତେବେ ଏହି ଐତିହାସିକ ମହୋତ୍ସବକୁ ସଫଳ କରିବାପାଇଁ ବ୍ୟାସନଗର ସହରବାସୀଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିଛି ଓ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ପାଇଁ ବିନମ୍ର ଅନୁରୋଧ କରିଛନ୍ତି ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ l 

Leave A Reply

Your email address will not be published.

9 + ten =