ମାଲକାନଗିରି : ସର୍ଚ୍ଚ ଅପରେସନ ବେଳେ ବିଏସଏଫକୁ ମିଳିଲା ବଡ ସଫଳତା । ମାଲକାନଗିରି ଜିଲ୍ଲାର ପଡ଼ିଆ ଥାନା ଅନ୍ତର୍ଗତ ସିଲାକୋଟା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବିପୁଳ ମାଓ ସାମଗ୍ରୀ ଜବତ ହେବା ସହ ବିଏସଏଫ ଯବାନ ବୋମା ନିଷ୍କ୍ରିୟ କରିଛନ୍ତି । ଶନିବାର ସକାଳେ ବିଏସଏଫ ୧୪୨ ବାଟାଲିୟନ ଯବାନମାନେ ବାପନପାଲ୍ଲୀ ଓ ସିଲାକୋଟା ମଧ୍ୟରେ ଥିବା ଜଙ୍ଗଲରେ କମ୍ବିଂ ଅପରେସନ ପାଇଁ ବାହାରିଥିଲେ। ମିଳିଥିବା ସୂଚନା ଅନୁସାରେ ବିଏସଏଫ ଯବାନ ମାନେ ସର୍ଚ୍ଚ ଅପରେସନ ସମୟରେ ସିଲାକୋଟ ସଂରକ୍ଷିତ ଜଙ୍ଗଲର ଗୋଟିଏ ଗଛ ମୂଳେ ମାଓ ସାମଗ୍ରୀ ଥିବା ଜାଣିବାକୁ ପାଇଥିଲେ । ଉକ୍ତ ଅଞ୍ଚଳରେ ତଲାସି କରିବା ପରେ ସେହି ଅଞ୍ଚଳରୁ ୩ଟି ପ୍ରେସର ବୋମା, ୨୦ ମିଟର କୋଡେକ୍ସ ତାର, ୨୪ ଗୋଟି ଜିଲଟିନ ଷ୍ଟିକ୍, ୨ ବଣ୍ଡଲ ବିଦ୍ୟୁତ ତାର ଜବତ କରିଛନ୍ତି । ତେବେ ଏହି ସାମଗ୍ରୀ ଗୁଡିକ ସିଲାକୋଟା ଜଙ୍ଗଲର ଆରମ୍ଭରୁ ୩୦୦ ମିଟର ମଧ୍ୟରେ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ମାଟି ତଳେ ପୋତା ହୋଇ ରଖାଯାଇଥିଲ। । ପ୍ରକାଶ ଥାଉକି ୨୦୧୧ ମସିହାରେ ସିଲାକୋଟା ଏକଦା ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ ଥିଲା । ଏହି ଜବତ ସାମଗ୍ରୀ ଗୁଡିକ ବହୁ ବର୍ଷ ପୂର୍ବରୁ ଯବାନ ମାନଙ୍କୁ ଟାର୍ଗେଟ କରି ମାଟି ତଳେ ପୋତା ହୋଇଥିବା ସନ୍ଦେହ କରାଯାଉଛି । ପରେ ବିଏସଏଫର ବୋମା ନିଷ୍ଟ୍ରିୟକାରୀ ଟିମ ଆସି ଖଞ୍ଜାଯାଇଥିବା ବୋମାଗୁଡିକୁ ସେହି ସ୍ଥାନରେ ନିଷ୍କ୍ରିୟ କରିଥିବା ଏକ ଭିଡିଓ ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି।