ମାଲକାନଗିରି: ବନ ବିଭାଗକୁ ମିଳିଛି ବଡ ସଫଳତା । ୩୫୨ ଟି ବଜ୍ରକାପ୍ତା କାତି ଜବତ କରିଛି ମାଲକାନଗିରି ବନ ବିଭାଗ । ଯାହାର ଓଜନ ପ୍ରାୟ ୨ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୬ ଜଣ ଅଭିଯୁକ୍ତ ଚୋରା ଚାଲାଣ କାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ବାହାର ଜିଲ୍ଲାର ଏବଂ ୪ ଜଣ ମାଲକାନଗିରି ଜିଲ୍ଲାର ବୋଲି ଜିଲ୍ଲା ଡିଏଫଓ ସୂଚନା ଦେଇଛନ୍ତି। ଏମାନଙ୍କ ନିକଟରୁ ୩ଟି ମଟରସାଇକେଲ ଓ ୫ଟି ମୋବାଇଲ ଜବତ କରିଛି ବନ ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ମାଥିଲି ଏବଂ ମାଲକାନଗିରି ବନବିଭାଗର ଟିମ୍ ସତିଗୁଡା ନିକଟରେ ଚୋରା ଚାଲାଣକାରୀଙ୍କୁ କାବୁ କରିଥିଲା । କୁହାଯାଉଛି ବଜ୍ରକାପ୍ତା କାତି ସେମାନେ ବାହାର ରାଜ୍ୟକୁ ଚୋରା ଚାଲାଣ କରିଥାନ୍ତା ।ଏହି ବଜ୍ରକାପ୍ତା କାତି କେଉଁଠୁ ଆସିଲା ଓ ଏହାକୁ କେଉଁଠି ଚୋରା ଚାଲାଣ କରାଯାଉଥିଲା ଆଉ ଏହା ପଛରେ କେଉଁ ମାନେ ସାମିଲ୍ ଅଛନ୍ତି ସେସବୁ ଦିଗକୁ ନେଇ ବନ ବିଭାଗର ତଦନ୍ତ ଜାରି ରହିଛି ବୋଲି ମାଲକାନଗିରି ଡିଏଫଓ ଡି.ସାଇ କିରଣ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିବା ବେଳେ ଏସିଏଫ ପ୍ରିୟଙ୍କା ମହୁକା, ରେଞ୍ଜର ରମେଶ ରାଉତ ସହିତ ବନବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।