୨ ନିଶା ବେପାରୀ ଗିରଫ

ଭୁବନେଶ୍ୱର,୧୨.୬(ନି.ପ୍ର.): ରାଜଧାନୀରୁ ୨ ନିଶା ମାଫିଆ ଗିରଫ ହୋଇଛନ୍ତି । କେଦାରଗୌରୀ ମୁକ୍ତେଶ୍ୱର ମନ୍ଦିର ପାର୍କରେ ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ମାଡ଼ି ବସିଛନ୍ତି କୁଇକ୍ ଆକ୍ସନ୍ ଟିମ୍ (କୁ୍ୟଏଟି) ଓ ଶ୍ରୀଲିଙ୍ଗରାଜ ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ କପିଳେଶ୍ୱରର ରାଶେକ ଓରଫ ରକି ମଲିଆ (୩୧)ଓ ସୁଜିତ ପଣ୍ଡା (୧୯) । ଉଭୟଙ୍କ ଠାରୁ ୪ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର, ସୁନା ଅଳଙ୍କାର, ବାଇକ୍ ଓ ଦୁଇଟି ମୋବାଇଲ ଫୋନ୍ ଜବତ ହୋଇଛି । ପୋଲିସ ସୂଚନା ଅନୁଯାୟୀ, ରକି ଓ ସୁଜିତ ଗତ କିଛିଦିନ ଧରି ବ୍ରାଉନ୍ସୁଗର କାରବାର କରି ଆସୁଥିଲେ । ସବୁବେଳେ ସେମାନେ ପୋଲିସ ଓ ଅବକାରୀ ବିଭାଗକୁ ଚକ୍ମା ଦେଇ ଖସି ଯାଉଥିଲେ । କିଛିଦିନ ଧରି ସେମାନଙ୍କ ଉପରେ କଡ଼ା ନଜର ରଖା ଯାଇଥିଲା । ଗତ କାଲି ମଧ୍ୟାହ୍ନରେ ରକି ଓ ସୁଜିତ କେଦାଗୌରୀ ମୁକ୍ତେଶ୍ୱର ମନ୍ଦିର ପାର୍କରେ ଗ୍ରାହକଙ୍କ ସହ ଡିଲ୍ ପାଇଁ ଅପେକ୍ଷା କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବରପାଇ କ୍ୟୁଏଟି ଓ ଶ୍ରୀଲିଙ୍ଗରାଜ ଥାନା ପୋଲିସ ସେଠାରେ ମିଳିତ ଭାବେ ଚଢଉ କରିଥିଲେ । ପୋଲିସ ଦେଖି ୨ ଜଣ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଟିମ୍ ସେମାନଙ୍କୁ ମାଡ଼ି ବସିଥିଲେ । ଯାଂଚବେଳେ ସେମାନଙ୍କୁ ଠାରୁ ଏକ ଜରି ପ୍ୟାକେଟ୍ରେ ଥିବା ୪୦ ଗ୍ରାମ ବ୍ରାଉନସୁଗର, ଦୁଇଟି ସୁନା ବ୍ରେସ୍ଲେଟ୍, ଗୋଟିଏ ସୁନାଚେନ୍, ଦୁଇଟି ସୁନାମୁଦି, ଦୁଇଟି ମୋବାଇଲ ଫୋନ୍ ଓ ଏକ ବାଇକ୍ (ଓଡି ୦୨ଏଏକ୍ସ-୨୬୭୯) ଜବତ ହୋଇଥିଲା । ଉଭୟଙ୍କୁ ଶ୍ରୀଲିଙ୍ଗରାଜ ଥାନାକୁ ନେଇ ଜେରାବେଳେ ସେମାନେ ଖାର୍ଦ୍ଧା ଓ ଜଳେଶ୍ୱରରୁ ବ୍ରାଉନସୁଗର ଆଣି ରାଜଧାନୀ ଓ ଉପକଣ୍ଠରେ କାରବାର କରୁଥିବା ସ୍ୱୀକାର କରିଥିଲେ ।

Leave A Reply

Your email address will not be published.

15 − 11 =