ବାରିପଦା,୧୨.୬ (ନି.ପ୍ର.) :ଗୋଟିଏ କୁକୁଡାକୁ କେନ୍ଦ୍ରକରି ତୁମୁଳକାଣ୍ଡ ଘଟିଯାଇଛି । କୁକୁଡା ମାଲିକଙ୍କ ମରଣାନ୍ତକ ଆକ୍ରମଣରେ ମା ଓ ପୁଅ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବାର ଜଣାପଡିଛି । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ମହୁଲଡିହା ଥାନାର ଦୁବପାଳ ଗାଁ ରେ । ମିଳିଥିବା ବିବରଣିରୁ ପ୍ରକାଶଯେ, ଗତ ୮ତାରିଖ ସନ୍ଧ୍ୟା ସମୟରେ ନିଜ ଘରର ଜାଲଦିଆ ବାଡରେ ପଡିଶା ଘରର ଏକ କୁକୁଡା ଲାଖିଯାଇ ଛଟପଟ ହେଉଥିଲା । ଏହି ସମୟରେ ପୀଡିତା ମା ଓ ପୁଅ ବାଡ ସହିତ ଜାଲରେ ଲାଗିଯାଇଥିବା କୁକୁଡାଟିକୁ ବାହାର କରି ଛାଡିଦେଉଥିବା ବେଳେ ନିକଟସ୍ଥ ପଡିଶା ଘରୁ ତିନିଜଣ ଆସି ମା ଓ ପୁଅଙ୍କୁ ଠେଙ୍ଗାରେ ନିସ୍ତୁକଭାବେ ପ୍ରହାର କରିଥିଲେ । ଫଳରେ ପୀଡିତା ମା ଓ ପୁଅ ଗୁରୁତରଭାବେ ଆହତହୋଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିବାର ଜଣାପଡିଛି । ଏହି ଘଟଣା ବାବଦରେ ଉଭୟ ପକ୍ଷରୁ ଦୁଇଟି ଅଭିଯୋଗ କ୍ରମେ ପୋଲିସ୍ ପକ୍ଷରୁ ଦୁଇଟି ପୃଥକ ପୃଥକ ମାମଲା ଋଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବାର ପ୍ରକାଶ ।