ଆଣ୍ଡାମାନରୁ ଫେରିଲେ ୯୨ ଜଣ ଓଡ଼ିଆ ଶ୍ରମିକ


ଭୁବନେଶ୍ୱର,୧୨ ।୦୬(ନି.ପ୍ର.): ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ୯୨ ଜଣ ଦାଦନ ଶ୍ରମିକ ନିଜର ପରିବାରର ଗୁଜୁରାଣ ମେଣ୍ଟାଇବାକୁ ଆଣ୍ଡାମାନ ଦ୍ୱୀପକୁ କାମ କରିବାକୁ ଯାଇଥିଲେ । ମହାମାରୀ କରୋନା (କୋଭିଡ-୧୯) ସାରା ବିଶ୍ୱକୁ ଆତଙ୍କିତ କରିଥିବା ବେଳେ ଆଣ୍ଡାମାନରେ ୯୨ ଜଣ ଦାଦନ ଶ୍ରମିକ ସେଠାରେ ଜୀବିକା ହରାଇ ଭୋକ ଉପାସରେ ଫସି ରହିଥିଲେ । ସେମାନେ ନିଜ ଗ୍ରାମକୁ ଫେରି ଆସିବା ପାଇଁ ଦୀର୍ଘ ଏକ ମାସ ହେବ ସଂଘର୍ଷ କରି ସଫଳ ନହେବାରୁ ଶେଷରେ ଧର୍ମପଦ ନିର୍ମାଣ ଶ୍ରମିକ ୟୁନିୟନ୍ର ସାଧାରଣ ସମ୍ପାଦକ ପଂଚାନନ ମହାରଣାଙ୍କୁ ସେଠାରେ ଫସି ରହିଥିବା ଶ୍ରମିକ ଭାଇମାନେ ଓ ନିଜ ଗ୍ରାମରେ ଥିବା ପରିବାରବର୍ଗ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । ୟୁନିୟନ୍ ତରଫରୁ ତତକ୍ଷଣାତ ଓଡ଼ିଶା ସରକାରଙ୍କ କରୋନା ମହାମାରୀ ସମୟରେ ଶ୍ରମିକ ଭାଇମାନଙ୍କ ସମସ୍ୟା ସମ୍ପର୍କରେ ସହଯୋଗ କରୁଥିବା ଗୃହ ବିଭାଗ, ଶ୍ରମ କମିଶନର୍, ରାଜ୍ୟ ନୋଡାଲ ଅଧିକାରୀ, ଖୋର୍ଦ୍ଧା ଜିଲ୍ଲା ନୋଡାଲ ଅଧିକାରୀ, ଦିଲ୍ଲୀସ୍ଥିତ ରେସିଡେନ୍ସିଆଲ କମିଶନର୍ କାର୍ଯ୍ୟାଳୟ, ଭାରତ ସରକାରଙ୍କ ଆଣ୍ଡାମାନରେ ଥିବା ଶ୍ରମ ବିଭାଗ ଅଧିକାରୀ ଓ ସର୍ବୋପରି ଆନ୍ଧ୍ରପ୍ରଦେଶରେ ଥିବା ମହାମହିମ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଫୋନ୍ ଓ ପତ୍ର ମାଧ୍ୟରେ ସଂଯୋଜନା କରାଯାଇଥିଲା । ପରିଶେଷରେ ଧର୍ମପଦ ୟୁନିୟନ୍ ତରଫରୁ ଶ୍ରମିକମାନଙ୍କୁ ମାର୍ଗଦର୍ଶନ କରାଇ ପାଣି ଜାହାଜ ଦ୍ୱାରା କୋଲକତା ବନ୍ଦରରେ ଆଣି ପହଂଚାଇବାରେ ସଫଳ ହୋଇଥିଲା । ସେଠାରୁ ଜନଶତାବ୍ଦୀ ଟ୍ରେନ୍ ଦ୍ୱାରା ଭୁବନେଶ୍ୱରଠାରେ ଗତକାଲି ଅର୍ଥାତ୍ ଗତ ୧୦ ତାରିଖ ରାତ୍ର ୯.୦୦ ଘଟିକା ସମୟରେ ପହଂଚିଥିଲେ । ୟୁନିୟନ୍ ତରଫରୁ ସେମାନଙ୍କୁ ଶୁଖିଲା ଖାଦ୍ୟ (ବିସ୍କୁଟ, କଦଳୀ, ପାଣିବୋତଲ) ସାଧାରଣ ସମ୍ପାଦକ ଶ୍ରୀ ପଞ୍ଚାନନ ମହାରଣା ଓ ୟୁନିୟନ୍ର ସଂଯୋଜିକା ଶଶି ମହାରଣା ପ୍ରଦାନ କରିଥିଲେ । ଶେଷରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପ୍ରତିନିଧି ସମସ୍ତ ଶ୍ରମିକ ଭାଇମାନଙ୍କୁ ସରକାରଙ୍କ ନିୟମ ମୁତାବକ ନାମ ପଞ୍ଜିକରଣ କରାଇ ଭୁବନେଶ୍ୱର ରେଳଷ୍ଟେସନ୍ଠାରୁ ବସ୍ ଯୋଗେ କ୍ୱାରେଣ୍ଟାଇନ୍ ହୋମ୍କୁ ପ୍ରେରଣ କରିଥିଲେ ।
ବହୁ ଅଭାବ ଅନଟନ ସତ୍ୱେ ଭୋକ ଉପାସରେ ନିଜ ଗ୍ରାମକୁ ଫେରି ଆସିଥିବା ଶ୍ରମିକଭାଇମାନଙ୍କର ସମସ୍ତ ଖର୍ଚ୍ଚ କେନ୍ଦ୍ର ଓ ରାଜ୍ୟ ସରକାର ବହନ କରିବାକୁ ୟୁନିୟନ୍ ତରଫରୁ ସରକାରଙ୍କୁ ନିବେଦନ କରାଯାଇଛି ।

Leave A Reply

Your email address will not be published.

9 − three =