କରୋନା ଯୋଦ୍ଧାଙ୍କୁ କରୋନା

ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୨ ମହିଳା ଡାକ୍ତର ଆକ୍ରାନ୍ତ
ଭବାନୀପାଟଣା,୧୩ ।୦୬(ନି.ପ୍ର.): କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୁଇ ମହିଳା ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦୁଇ ଡାକ୍ତର ସଂକ୍ରମିତ ହୋଇଥିବା କଳାହାଣ୍ଡି ସିଡିଏମ୍ଓ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ତେଲେଙ୍ଗାନାରୁ ଫେରିଥିବା ଜଣେ ପ୍ରବାସୀ ସରକାରୀ କ୍ୱାରେଂଟାଇନ ସେଂଟରରେ ୭ ଦିନ ରହିବା ପରେ ଘରେ ଆଉ ୭ ଦିନ ହୋମ୍ କ୍ୱାରେଂଟାଇନ୍ରେ ରହିଥିଲେ । ହୋମ୍ କ୍ୱାରେଂଟାଇନରେ ଥିବା ସମୟରେ ପ୍ରବାସୀ ଜଣକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇଥିଲେ । ସେଠାରେ ଉକ୍ତ ୨ ମହିଳା ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । କରୋନା ଟେଷ୍ଟ କରାଯିବା ପରେ ସମ୍ପୃକ୍ତ ପ୍ରବାସୀଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ତାଙ୍କର ଚିକିତ୍ସା କରିଥିବା ୨ ମହିଳା ଡାକ୍ତରଙ୍କୁ କ୍ୱାରେଂଟାଇନରେ ରଖାଯାଇଥିଲା । ସେମାନଙ୍କର ମଧ୍ୟ କରୋନା ଟେଷ୍ଟ କରାଯାଇଥିଲା, ଯେଉଁଥିରେ ରିପୋର୍ଟ ପଜିଟିଭ ଆସିଥିଲା । ଦୁଇ ଡାକ୍ତରଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି । ବର୍ତମାନ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସାନିଟାଇଜ କରାଯିବା ସହ ସମସ୍ତ ଷ୍ଟାଫଙ୍କ ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସାମୟିକ ସମୟ ପାଇଁ ସଟ୍ଡାଉନ୍ କରିଦିଆଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୧୧ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମୋଟ ୧୪୭ ଜଣ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ଏମ୍ସର ୫ ଜଣ ଡାକ୍ତର ସଂକ୍ରମିତ ହୋଇଥିବା ବେଳେ ବ୍ରହ୍ମପୁରରେ ୪ ଜଣ, ବାଲେଶ୍ୱର ଓ ନୟାଗଡ଼ରେ ଜଣେ ଲେଖାଏ ଡାକ୍ତର ସଂକ୍ରମିତ ହୋଇଛନ୍ତି । ଏହାବ୍ୟତୀତ ରାଜ୍ୟରେ କରୋନା ଲଢେ଼ଇରେ ଯୋଦ୍ଧା ଭାବେ ପରିଚିତ ଏନ୍ଡିଆରଏଫ୍, ଓଡ୍ରାଫ୍, ଅଗ୍ନିଶମ, ପୋଲିସ ମଧ୍ୟ ସଂକ୍ରମିତ ହୋଇଛନ୍ତି । ନିକଟରେ ଅମ୍ଫାନ ମହାବାତ୍ୟାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଓଡ୍ରାଫ୍, ଏନ୍ଡିଆରଏଫ୍ ଓ ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରୁ ୧୨୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଇଛି । ସେହିପରି ୨ ଜଣ ସରପଂଚ, ୨ ଜଣ ଷ୍ଟାଫ୍ ନର୍ସ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଏ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କରୋନା ଯୋଦ୍ଧାଙ୍କ ନିରାପତା ଉପରେ ଗୁରୁତ୍ୱ ଦେଇଥିଲେ ।

Leave A Reply

Your email address will not be published.

3 + 4 =