ରାଲି ପରେ କରୋନା ପାଇଁ ଟ୍ରମ୍ପ ଦାୟୀ ହେବେନି

ୱାଶିଂଟନ,୧୩.୬(ଏଜେନ୍ସି): ଆମେରିକାରେ ଗୋଟିଏ ପଟେ କରୋନା ଯୋଗୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ବି ପାଖେଇ ଆସୁଛି । ଚଳିତ ବର୍ଷ ନଭେମ୍ବର ମାସରେ ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି । କିନ୍ତୁ କରୋନା ସଂକ୍ରମଣ ପାଇଁ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ବିଳମ୍ବିତ ହୋଇଯାଇଛି । ହେଲେ ଏବେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ତୁରନ୍ତ ଆରମ୍ଭ କରିବାକୁ ଯୋଜନା କରାଯାଇଛି । ଆମେରିକାର ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପ ପୁଣ ଥରେ ରାଷ୍ଟ୍ରପତି ହେବାର ଆଶା ବାନ୍ଧିଛନ୍ତି । ଜୁଲାଇ ମାସରୁ ସେ ନିର୍ବାଚନୀ ରାଲିରେ ଯୋଗ ଦେବା ଆରମ୍ଭ କରିବେ ବୋଲି ତାଙ୍କର ନିର୍ବାଚନୀ ପ୍ରଚାର ଟିମ୍ ତରଫରୁ ଘୋଷାଣା କରାଯାଇଛି । ଟ୍ରମ୍ପ ଟୁଲସା ଏବଂ ଓକଲାହୋମାରେ ରାଲି କରିବେ । ଜୁଲାଇ ୧୯ରେ ସେ ଟୁଲସାରେ ନିର୍ବାଚନୀ ରାଲି କରିବେ । ତେବେ ଟ୍ରମ୍ପକଙ୍କ ନିର୍ବାଚନୀ ପ୍ରଚାର ଟିମ୍ ତରଫରୁ ଘୋଷଣା କରାଯାଇଛି କି ଯେଉଁମାନେ ଟ୍ରମ୍ପଙ୍କ ରାଲିରେ ଯୋଗ ଦେବାକୁ ଚାହାନ୍ତି, ସେମାନଙ୍କୁ ପ୍ରଥମେ ଏଥିପାଇଁ ପଞ୍ଜୀକରଣ କରିବାକୁ ପଡିବ । ସେମାନଙ୍କୁ ମଧ୍ୟ ଏକ ସ୍ୱୀକାରୋକ୍ତି ଦେବାକୁ ପଡିବ ଯେ ସର୍ବସାଧାରଣ ସ୍ଥାନରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ସେମାନେ କରୋନା ଦ୍ୱାରା ସଂକ୍ରମିତ ହୋଇପାରନ୍ତି ବୋଲି ସେମାନେ ଅବଗତ ଅଛନ୍ତି । ତେଣୁ ଟ୍ରମ୍ପଙ୍କ ରାଲିରେ ଯୋଗ ଦେବା ପରେ ଯଦି ସେମାନେ କରୋନା ଦ୍ୱାରା ସଂକ୍ରମିତ ହୁଅନ୍ତି, ତାହାହେଲେ ସେମାନେ ଏଥିପାଇଁ ରାଷ୍ଟ୍ରପତି ଟ୍ରମ୍ପ, ତାଙ୍କର ନିର୍ବାଚନୀ ପ୍ରଚାର ଟିମ୍ କିମ୍ବା ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ସହ ଜଡିତ କୌଣସି ବ୍ୟକ୍ତିଙ୍କୁ ଦାୟୀ କରିବେ ନାହିଁ । ସୂଚନାଯୋଗ୍ୟ ଯେ, ଆମେରିକାରେ ଏପର୍ଯ୍ୟନ୍ତ କରୋନା ଯୋଗୁ ୨୦ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ସଂକ୍ରମିତ ହୋଇଥିଲା ବେଳେ ୧,୧୨୦୦୦ ଲୋକ ପ୍ରାଣ ହରାଇସାରିଲେଣି ।

Leave A Reply

Your email address will not be published.

20 − 14 =