କରୋନା ମୁୁକାବିଲା ପାଇଁ ୭୫୦ ନିୟୁତ ଡଲାରର ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ, ୨୦ .୬ (ଏଜେନି୍ସ): ଭାରତ ସରକାର ଏବଂ ଏସିଆନ ଭିତିଭୂମି ବିକାଶ ବ୍ୟାଙ୍କ (ଏଆଇଆଇବି) ମଧ୍ୟରେ ୭୫୦ ନିୟୁତ ମିଲିୟନ ଆମେରିକୀୟ ଡଲାରର ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି । “କୋଭିଡ-୧୯ ସକ୍ରିୟ ମୁକାବିଲା ଏବଂ ବ୍ୟୟ ସହାୟତା କାର୍ଯ୍ୟକ୍ରମ” ନାମକ ଏହି ଚୁକ୍ତିରେ ମିଳିବାକୁ ଥିବା ଅର୍ଥ କୋଭିଡ-୧୯ ମହାମାରୀର ପ୍ରତିକୂଳ ପ୍ରଭାବ କାରଣରୁ ପ୍ରଭାବିତ ହୋଇଥିବା ଗରିବ ଏବଂ ଦୁର୍ବଳ ପରିବାରଙ୍କୁ ସହାୟତା ପ୍ରଦାନ କରିବାରେ ବିନିଯୋଗ କରାଯିବ । ଏଆଇଆଇବି ପକ୍ଷରୁ ଏହା ହେଉଛି ଭାରତକୁ ସର୍ବପ୍ରଥମ ବଜେଟ ସହାୟତା ।
ଭାରତ ସରକାରଙ୍କ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗ ଅତିରିକ୍ତ ସଚିବ ଶ୍ରୀ ସମୀର କୁମାର ଖାରେ ଏବଂ ଏଆଇଆଇବି ପକ୍ଷରୁ ମହାନିର୍ଦେଶକ (କାର୍ଯ୍ୟକାରୀ) ଶ୍ରୀ ରଜତ ମିଶ୍ରା ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ ।
ଶ୍ରୀ ଖାରେ କହିଥିଲେ, “କରୋନା ଭୂତାଣୁ ମୁକାବିଲା ନିମନ୍ତେ ଏଆଇଆଇବି ପକ୍ଷରୁ ଏହି ସହାୟତା ପାଇଁ ଆମେ ଧନ୍ୟବାଦ ଜଣାଉଛୁ । କରୋନା ଭୂତାଣୁ କାରଣରୁ ମହିଳାଙ୍କ ସମେତ ସମାଜର ଦୁର୍ବଳ ବର୍ଗ ପ୍ରଭାବିତ ହୋଇଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଏହି ଅର୍ଥରେ ସହାୟତା ଯୋଗାଇ ଦିଆଯିବ । ସେହିପରି ପ୍ରଭାବିତ ହୋଇଥିବା ସଂଗଠିତ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ପଦକ୍ଷେପ ସୁନିଶ୍ଚିତ କରାଯାଇପାରିବ । ଏଆଇଆଇବି ପକ୍ଷରୁ ଏହି ସମୟୋପଯୋଗୀ ଆର୍ଥିକ ସହାୟତା ସରକାରଙ୍କ କୋଭିଡ-୧୯ ଜରୁରିକାଳୀନ ମୁକାବିଲା କ୍ଷେତ୍ରରେ ବିଶେଷ ଯୋଗଦାନ ଦେଇପାରିବ ।
ଏହି କାର୍ଯ୍ୟକ୍ରମ ଦ୍ୱାରା କୋଭିଡ ୧୯ ମହାମାରୀର ପ୍ରତିକୂଳ ସାମାଜିକ ଏବଂ ଆର୍ଥିକ ପ୍ରଭାବ ହ୍ରାସ କରିବା କ୍ଷେତ୍ରରେ ଭାରତ ସରକାରଙ୍କୁ ବଜେଟ ସହାୟତା ମିଳିପାରିବ । ପୂର୍ବରୁ ଏଆଇଆଇବି ପକ୍ଷରୁ ଭାରତକୁ କୋଭିଡ-୧୯ ମୁକାବିଲା ନିମନ୍ତେ ୫୦୦ ନିୟୁତ ଡଲାର ଋଣ ସହାୟତା ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ଦ୍ୱାରା ମୁଖ୍ୟତଃ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ପରିବାର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବିଧବା, ଦିବ୍ୟାଙ୍ଗଜନ ଏବଂ ଅନ୍ୟ ଦୁର୍ବଳ ବର୍ଗର ଲୋକମାନଙ୍କୁ ସହାୟତା ପ୍ରଦାନ କରାଯିବ । ଏଆଇଆଇବି ଏବଂ ଏସୀୟ ବିକାଶ ବ୍ୟାଙ୍କ ପକ୍ଷରୁ ଏହି ପ୍ରକଳ୍ପକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ମୋଟ ୨.୨୫୦ ବିଲିୟନ ଡଲାର ମ୍ମରୁ ଏଆଇଆଇବି ପକ୍ଷରୁ ୭୫୦ ମିଲିୟନ ଡଲାର ଏବଂ ଏଡିବି ପକ୍ଷରୁ ୧.୫ ବିଲିୟନ ଡଲାର ଅର୍ଥ ଯୋଗାଇ ଦିଆଯିବ ।

Leave A Reply

Your email address will not be published.

seven − six =