ବିଞ୍ଝାରପୁର,୨୧.୬ (ନି.ପ୍ର): ବିଞ୍ଝାରପୁର ବ୍ଲକ ତଥା ଆଳି ଜଳସମ୍ପଦ ବିଭଗ ଅଧିନସ୍ତ କାଣି ନାଳ ପୂନ୍ନରୁଦ୍ଧାର ଏବେ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ରଣପୁର ପଂଚାୟତ କଣିପୁର ଗ୍ରାମର ଗେଟିଏ ସାହିକୁ ବାହ୍ୟ ଜଗତରୁ ବିଚ୍ଛିହ୍ନ କରିବ । ଗମନା ଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବହୁ ଗୁରୁତ୍ୱ ପୂର୍ଣ୍ଣ ସେବାରୁ କଣିପୁର ଗ୍ରାମର ବଳ ସାହିର ୫୦ରୁ ଉର୍ଦ୍ଧ ପରିବାରର ଶହ ଶହ ଲୋକେ ବଂଚିତ ହେବେ । ଆଳି ଡ୍ରେନେଜ ବିଭଗ ଅଧିନରେ ଥିଭା ଏହି ନାଳର ଏବେ ପୂନ୍ନରୁଦ୍ଧାର କାର୍ଯ୍ୟ କରାଯାଇଛି । ଏହି ନାଳ କଣିପୁର କାଣୀ ନଦୀରୁ ବାହାରି ଆଳି ବ୍ଲକର ପେତପଡା ସ୍ଥିତ କଣିଆ ନାଳ ସହିତ ସଂଲଗ୍ନ ହେବ । ଏଥିପାଇଁ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ହେଲେ ସମସ୍ତେ ଭୂଲି ଯାଇଛନ୍ତି ଏହି କାର୍ଯ୍ୟ ହେବାଦ୍ୱାରା କଣିପୁର ଗ୍ରାମର ବଳ ସାହି ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବ ବୋଲି ।
ଏହି ନାଳ ଆରପାରିଥି ଥିବା ବଳ ସାହିର ଲୋକେ ଏହି ନାଳ ମଝିରେ ଅସ୍ଥାୟୀ ମାଟି ରାସ୍ତା ନିର୍ମାଣ କରି ବର୍ଷ ବର୍ଷ ଧରି ଯାତାୟତ କରୁଛନ୍ତି । ଏବେ ନାଳ ଖନନ ହେଲେ ଏମାନେ ନଦୀ ଆରପଟୁ ବ୍ଲକ, ଥାନା, ତହସିଲ, ସ୍କୁଲ, କଲେଜ ,ଡାକ୍ତରଖାନା ଆସିବାକୁ ହେଲେ ମାଇଲ ମାଇଲ ଦୁର ବୁଲିବାକୁ ପଡିବ ।
ଦୀର୍ଘ ୫ ବର୍ଷ ହେବ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କଣିପୁର ଗୁଡିଆ ଛନ୍ଦାରେ ସ୍ଥାନୀୟ ପାଦଚଲା ସେତୁ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଜଳସମ୍ପଦ ବିଭାଗ ନିକଟରେ ଦାବି କରିଆସୁଛନ୍ତି । ଦୀର୍ଘ ୫ ବର୍ଷ ପୂର୍ବରୁ ମଧ୍ୟ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏହି ନାଳ ଉପରେ ସେତୁ ନିର୍ମାଣ ପାଇଁ ଲୋକଙ୍କୁ ପ୍ରତିଶୃତି ଦେବା ସହିତ ଆଳି ଜଳ ସମ୍ପଦ ବିଭାଗ ମୁଖ୍ୟଙ୍କ ସହିତ ଆଲୋଚନା କରିଥିଲେ ।
ଏପରିକି ଲୋକଙ୍କ ଦାବିକୁ ବିଭାଗୀୟ ସଚିବକଙ୍କ ଦୃଷ୍ଠୀ ଆକର୍ଷଣ କରାଯାଇଥିଲା । ମାତ୍ର ଏହା ମଧ୍ୟରେ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ବିଭାଗୀୟ ନିରବତା ଆଜି ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଶ୍ନବାଚୀ ସୃଷ୍ଠୀ କରିଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି ।