ଗରବନ୍ଧରେ ଗୋଷ୍ଠୀ ସଂଘର୍ଷ: ୨ ଆହତ

ଯାଜପୁର ତା୨୪/୦୬ (ନି.ପ୍ର) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀଙ୍କ ସଂଘବଦ୍ଧ ସଂଘର୍ଷରେ ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ସହ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଉତ୍ତେଜନା ପ୍ରସମିତ କରିବାକୁ ଯାଇଁ ମଙ୍ଗଳପୁର ପୁଲିସ ସଘର୍ଷରେ ଜଡ଼ିତ ଉଭୟ ପକ୍ଷର ୧୮ ଜଣଙ୍କୁ ଥାନାରେ ଅଟକ ରଖିବା ସହ ଘଟଣାର ଅଧିକ ତଦନ୍ତ ନିମନ୍ତେ ପଚରା ଉଚରା ଜାରି ରଖିଛନ୍ତି । ଘଟଣା ମୁତାବକ ଦଶରଥପୁର ବ୍ଲକ୍ କୟାଁ ପଞ୍ଚାୟତ ଗରବନ୍ଧ ଗ୍ରାମରେ ଥିବା ଏକ ଅନାବାଦୀ ଜମିକୁ ନେଇ ଗ୍ରାମର ୨ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଯେଉଁ ବିବାଦକୁ କିଛି ଦିନ ପୂର୍ବେ ଗାଁ ମୁରବୀ ଓ ପୁଲିସ ଉପସ୍ଥିତିରେ ଆପୋଷ ସମାଧାନ କରାଯାଇଥିଲା । ସମାଧାନ ପରେ ୨ ଗୋଷ୍ଠୀ ଗ୍ରାମରେ ଶାନ୍ତିରେ ବସବାସ କରୁଥିଲେ ହେଁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହିଥିଲା । ତେବେ ପ୍ରାୟ ବର୍ଷେ ପୂର୍ବେ ଗରବନ୍ଧ ଗ୍ରାମର ପ୍ରଫୁଲ ମଲ୍ଳିକ ଉକ୍ତ ଗ୍ରାମର ବିଦ୍ୟାଧର ମଲ୍ଳିକଙ୍କୁ ୨୫ ହଜାର ଟଙ୍କା ଉଧାର ଅକାରରେ ଦେଇଥେଲ । ୧ ବର୍ଷରୁ ଉର୍ଦ୍ଧ ହେବ ବିଦ୍ୟାଧର ଉଧାର ଟଙ୍କା ପରିଶୋଧ ନ କରିବାରୁ ପ୍ରଫୁଲ ରବିବାର ସକାଳେ ବିଦ୍ୟାଧରଙ୍କ ଘରକୁ ଯାଇଁ ଟଙ୍କା ପରିଶୋଧ କରିବାକୁ କହିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଯାହାକୁ ନେଇ ଘଟଣାଟି ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଥିବା ବେଳେ ଉଭୟ ପକ୍ଷ ପରସ୍ପରକୁ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିବାକୁ ପଛାଇନଥିଲେ । ଏହି ଆକ୍ରମଣରେ ଗରବନ୍ଧ ଗ୍ରାମର ଅଭିମନୁ୍ୟ ମଲ୍ଳିକ (୬୦) ଓ ପ୍ରଫୁଲ ମଲ୍ଳିକ (୪୫) ଗୁରୁତର ଆଘାତପ୍ରାପ୍ତ ହୋଇଥିଲେ । ରକ୍ତାକ୍ତ ଅବସ୍ଥାରେ ଉଭୟ ୨ ଆହତଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା ।

Leave A Reply

Your email address will not be published.

15 − 6 =