କେନାଲ ଶଯ୍ୟାରୁ ଅବାଧରେ ବାଲି ଚାଲାଣ

ନିଶ୍ଚିନ୍ତକୋଇଲି,ତା.୨୦ା୦୬:-ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ ଥିବା ୮ନଂ କେନାଲ ଶଯ୍ୟାକୁ ବାଲିମାଫିଆମାନେ ଖନନ କରି ଅବାଧରେ ବାଲି ଚାଲାଣ କରୁଥିବାର ଅଭିଯୋଗ ହୋଇଛି । ଏହାର ତଦନ୍ତ ଦାବି ହୋଇଛି । ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ ଥିବା ୮ନଂ କେନାଲର ରକ୍ଷଣାବେକ୍ଷଣା ଦାୟିତ୍ୱ ରହିଛି । ସ୍ଥାନୀୟ ଶାସକ ଦଳ ନେତାଙ୍କ ବାହୁଛାୟା ତଳେ ସୁରକ୍ଷିତ ରହିଥିବା କେତେକ ବାଲି ମାଫିଆ ସ୍ପଷ୍ଟ ଦିବାଲୋକରେ ବୁହାଳୋ ଗ୍ରାମ ପଂଚାୟତ ଜମରା ନିକଟରୁ ୮ନଂ କେନାଲ ଶଯ୍ୟାକୁ ଜେସିବି ମେସିନ ସାହାଯ୍ୟରେ ଖନନ କରି ଟ୍ରାକ୍ଟର ଯୋଗେ ବିଭିନ୍ନ ସ୍ଥାନକୁ ବାଲି ଚାଲାଣ କରୁଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ବାଲି ମାଫିଆମାନେ ଶାସକ ଦଳର ହୋଇଥିବାରୁ ବିଭାଗୀୟ ଅଧିକାରୀଙ୍କୁ ଲୋକେ ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ବାଲି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତ ଦୂରର କଥା ଏପରିକି ଘଟଣା ସମ୍ପର୍କରେ ଜାଣି ମଧ୍ୟ ନଜାଣିଲା ଭଳି ଅଭିନୟ କରୁଥିବାର ଅଭିଯୋଗ ହୋଇଛି । ଫଳରେ ନଦୀ ଶଯ୍ୟା ଅବାଧରେ ଖନନ କରାଯାଉଥିବାରୁ ଆଗାମୀ ଦିନରେ କେନାଲର ଆଖିର ମୁଣ୍ଡକୁ ପାଣି ଯିବା ନେଇ ଆଶଙ୍କା ପ୍ରକାଶ ପାଇଛି । ସେହିପରି ଭାବେ କେନାଲ ବନ୍ଧ ଉପରେ ଜେସିବି ମେସିନ ଓ ଟ୍ରାକ୍ଟର ସାହାଯ୍ୟରେ କାର୍ଯ୍ୟ କରାଯାଉଥିବା ହେତୁ କେନାଲ ବନ୍ଧ ପ୍ରତି ବିପଦର ଆଶଙ୍କା ସୃଷ୍ଟି ହୋଇଛି ।

Leave A Reply

Your email address will not be published.

twenty − 17 =