ନୂଆଦିଲ୍ଳୀ: ଦେଶରେ କରୋନା ଭାଇରସ୍ ପ୍ରକୋପ ଯୋଗୁଁ ମାର୍ଚ୍ଚ ୨୫ରୁ ଲକ୍ଡାଉନ ଘୋଷଣା ଓ ତାହାର ପରବର୍ତୀ ପର୍ଯ୍ୟାୟ ଅର୍ଥାତ୍ ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ଭିଡିଓ କନ୍ଫରେନ୍ସିଂ ଜରିଆରେ ସୁପ୍ରିମକୋର୍ଟ ୭୧୮୦ରୁ ଅଧିକ ମାମଲାର ଶୁଣାଣି କରିଥିଲେ । ଏହି ସମର୍ଭ ଅବଧି ମଧ୍ୟରେ ସୁପ୍ରିମକୋର୍ଟ ୬୭୨ଟି ଗୁରୁତ୍ୱପୂର୍ଣ୍ଣରାୟ ମଧ୍ୟ ଶୁଣାଇଥିଲେ । ତଥ୍ୟ ଅନୁସାରେ ଏହି ସମୟ ଅବଧିରେ ଶୁଣାଣି କରାଯାଇଥିବା ୭୧୮୦ ମାମଲା ଭାରତୀୟ ସୁପ୍ରିମକୋର୍ଟ ବିଶ୍ୱରେ ଏକନମ୍ବର ସ୍ଥାନ ହାସଲ କରିଛି । ବିଶ୍ୱରେ କୌଣସି କୋର୍ଟରେ ଏହି ସମୟ ଅବଧିରେ ଏତେ ସଂଖ୍ୟକ ମାମଲାର ଶୁଣାଣି ହୋଇନଥିଲା । ମାର୍ଚ୍ଚ ୨୫ରୁ ଜୁନ୍ ୧୯ ତାରିଖ ପର୍ଯ୍ୟନ୍ତ ଆମେରିକା ସୁପ୍ରିମ କୋର୍ଟରେ ୧୫୦ଟି ମାମଲାର ଶୁଣାଣି ହୋଇଥିବାବେଳେ ୩୦ଟି ମାମଲାର ରାୟ ପ୍ରଦାନ କରିଥିଲେ । ଅଷ୍ଟ୍ରେଲିଆରେ ୯୪ଟି ମାମଲାର ଶୁଣାଣି ସହ ୧୨ଟି ରାୟ ପ୍ରଦାନ, ଇଂଲଣ୍ଡରେ ୨୫ଟି ମାଲାର ଶୁଣାଣି ସହ ୧୫ଟି ରାୟ ପ୍ରଦାନ, କାନାଡାରେ ୧୭୩ ମାମଲାରୁ ୫ଟି ରାୟ, ଦକ୍ଷିଣ ଆଫ୍ରିକାରେ ୫୨ଟି ମାମଲାରୁ ୫୮ଟିରେ ରାୟ ପ୍ରଦାନ ତଥା ସ୍ପେନ୍ରେ ସର୍ବାଧିକ ୮୦୦ଟି ମାମଲାର ଶୁଣାଣି ହୋଇଥିଲା ।
ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି, ଏହି ସମୟ ଅବଧିରେ ସୁପ୍ରିମକୋର୍ଟରେ ୬୨୩ ବେଞ୍ଚ ବସିଥିଲା । ଯାହା ମଧ୍ୟ ଏକ ରେକର୍ଡ । ମାର୍ଚ୍ଚ ୨୫ ଲକଡାଉନ୍ ପରେ ସୁପ୍ରିମକୋର୍ଟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ମାମଲା ଗୁଡିକର ଶୁଣାଣି ଆରମ୍ଭ ହୋଇଥିଲା । ଏହି ସମୟରେ ଅବଧିରେ ଓକିଲମାନେ ମଧ୍ୟ ବହୁ ସଂଖ୍ୟାରେ ଶୁଣାଣି ସମୟରେ ଉପସ୍ଥିତ ରହୁଥିଲେ, ଯାହାକି ସ୍ୱାଭାବିକ ରୂପେ କୋର୍ଟ କାର୍ଯ୍ୟ ଜାରି ରହିଥିବା ସମୟରେ ଉପସ୍ଥିତ ଓକିଲମାନଙ୍କ ସଂଖ୍ୟାଠାରୁ ଅଧିକ ଥିଲା ।
ମାର୍ଚ୍ଚ ୨୫ରୁ ଜୁନ୍ ୧୯ ତାରିଖ ପର୍ଯ୍ୟନ୍ତ ସୁପ୍ରିମ କୋର୍ଟରେ ଶୁଣାଣି କରାଯାଇଥିବା ୭୧୮୦ ମାମଲାରୁ ଓଡିଶାର ୧୦୦ ରୁ ଅଧିକ ମାମଲାର ଶୁଣାଣି ହୋଇଥିଲା । ୨୫ରୁ ଅଧିକ ମାମଲାର ରାୟ. ଆଦେଶ ଓ ନିର୍ଦେଶ ଜାରି କରାଯାଇଥିଲା । ଏହି ସମୟରେ ସୁପ୍ରିମକୋର୍ଟ ଏସ୍ସି ଓ ଏସ୍ଟି ପଦୋନ୍ନତି ସଂରକ୍ଷଣ ମାମଲାରେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଖାରଜ ରାୟ ପ୍ରଦାନ କରିଥିଲେ । କୋଭିଡ ୧୯ ପରୀକ୍ଷାରେ ନେଗେଟିଭ ରିପୋର୍ଟ ଜଣାପଡିବା ପରେ ପ୍ରବାସୀଙ୍କୁ ଓଡିଶା ଆସିବାକୁ ଅନୁମତି ଦେବାକୁ ଓଡିଶା ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶ ଉପରେ ରହିତାଦେଶ ଜାରି କରିଥିଲେ । ଏକ ହତ୍ୟା ମାମଲାର ଶୁଣାଣି କରି ଓଡିଶାର ଗଜପତି ଜିଲ୍ଲାର ଆଦିବାସୀ ମହିଳାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ଏହି ସମୟରେ ଅବଧିରେ ଭିଡିଓ କନ୍ଫରେନ୍ସିଂରେ ସବୁଠାରୁ ଚର୍ଚ୍ଚିିତ ପୁରୀ ରଥଯାତ୍ରା ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ହେଲେ ୨୨ତାରିଖରେ ଅବକାଶ ବେଞ୍ଚରେ ମୋଡିଫିକେସନ ଆବେଦନର ଶୁଣାଣି କରି ପୁରୀରେ ଅନେକ ସର୍ତ ସହିତ ରଥଯାତ୍ରାର ଅନୁମତି ଦେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣାର ଥିଲା ଯାହା ଭିଡିଓ କନ୍ଫରେନ୍ସିଂ ଜରିଆରେ ଶୁଣାଣି ହୋଇଥିଲା ।