ବିନାଭକ୍ତରେ ବାହୁଡିଲେ ମହାପ୍ରଭୁ

ପୁରୀ : ନବଦିନ ବ୍ୟାପୀ ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଆଜି ବାହୁଡିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ , ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଆଜି ସିଂହଦ୍ୱାରରେ ପହଞ୍ଚିଛି । ପ୍ରଥମେ ତାଳଧ୍ୱଜ ରଥ ପହଞ୍ଚିଥିବା ବେଳେ ପରେ ପରେ ଦର୍ପଦଳନ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହ ଦ୍ୱାରରେ ପହଞ୍ଚିଥିଲା । ରଥ ଉପରେ ଶ୍ରୀଜୀଉ ମାନେ ଆଜି ବିରାଜମାନ କରିଛନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ପରି ବିନା ଭକ୍ତରେ ଚତୃର୍ଦ୍ଧାମୂର୍ତି ଆଜି ବାହୁଡା ଯାତ୍ରା କରିଥିବା ବେଳେ କେବଳ ସେବାୟତମାନେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ରଥ ଟାଣି ଆଣିଥିଲେ । ଶ୍ରୀନଅର ସମ୍ମୁଖରେ ଅନନ୍ୟ ପରମ୍ପରାଲକ୍ଷ୍ମୀ-ନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା ।
ନିର୍ଦ୍ଧାରିତ ସମୟର ୩୫ମିନିଟ ପୂର୍ବରୁ ଅର୍ଥାତ୍ ୧୧ଟା ୨୫ ମିନିଟରେ ପ୍ରଥମେ ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଥିବା ବେଳେ ପରେ ୧୨ଟା ୨୫ ମିନିଟରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ୧.୨୫ ମିନିଟରେ ଜଗତରନାଥ ଶ୍ରୀ ଗଜନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା । ଆଜି ଅପରାହ୍ନ ୨ଟା ୪୫ ମିନିଟରେ ବଡ ଠାକୁରଙ୍କର ତାଳଧ୍ୱଜ ରଥ ସିଂହ ଦ୍ୱାରରେ ଲାଗିଥିଲା ବେଳେ ୩ଟା ୧୦ ମିନିଟରେ ଦେବୀ ସୁଭଦ୍ରା ଦର୍ପଦଳନ ରଥ ଲାଗିଥିଲା ।
ଆଜି ଶରଧାବାଲିରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ୩ରଥରେ ଛେରା ପଂହରା ସଂପନ୍ନ କରିବାପରେ ରଥଟଣା ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ସକାଳ ୮ଟାରୁ ଚତୃର୍ଧା ମୁରତୀଙ୍କ ପହଣ୍ଡିବିଜେ ଆରମ୍ଭ ହୋଇଥିଲା । ପ୍ରଥମେ ସେବାୟତମାନେ ସୁଦର୍ଶନକୁ ପହଣ୍ଡି ବିଜେ ପରି ଦର୍ପଦଳନ ରଥରେ ରଥାରୁଢ କରିଥିଲେ । ପରେ ବଡ ଠାକୁର ଶ୍ରୀ ବଳଭଦ୍ର ତାଳଧ୍ୱଜକୁ ପହଣ୍ଡି ବିଜେ କରିଥିଲା ବେଳେ ଦେବୀ ସୁଭଦ୍ରା ଦର୍ପଦଳନ ରଥକୁ ପହଣ୍ଡି ବିଜେ କରିଥିଲେ । ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନନ୍ଦିଘୋଷ ରଥକୁ ପହଣ୍ଡି ବିଜେ କରିଥିଲେ । ପୂର୍ବାହ୍ନ ସାଢେ ୧୦ଟାରେ ଗଜପତି ମହାରାଜା ଛେରା ପହଁରା କରିଥିଲେ ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରି ନିତି ନିଘଂଟ ଅନୁସାରେ ଆଜି ଭୋର ୪ଟାରେ ମଙ୍ଗଳଆରତି ଅନୁଷ୍ଠିତ ହୋଇଥିଲା । ସକାଳ ୭ଟାରେ ମଙ୍ଗଳାର୍ପଣ ଅନୁଷ୍ଠିତ ହେବା ପରେ ଚତୃଦାମୁରତି ଖେଚୁଡି ଭୋଗ ଖାଇ ରଥକୁ ପହଣ୍ଡି ବିଜେ କରିଥିଲେ ।
ବାହୁଡା ଯାତ୍ରା ପାଇଁ ଶରଧାବାଲିରେ ତିନି ରଥ ପ୍ରସ୍ତୁତ ଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ପୁରୀ ଜିଲ୍ଲା ସମେତ ସହରରେ ଗତ ରାତିରୁ କଫ୍ୟୁ ଲାଗୁ କରାଯାଇଛି । ଗତକାଲି ରାତିରୁ ୨ତାରିଖ ଅର୍ଥାତ ଗୁରୁବାର ରାତି ୧୦ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତର ରହିବ ।
ଶ୍ରୀ ଗୁଣ୍ଡିଚା ଯାତ୍ରା ଭଳି ବାହୁଡାରେ ମଧ୍ୟ ବଡଦାଣ୍ଡକୁ କାହାକୁ ଆସିବାକୁ ମିଳି ନାହିଁ । କେବଳ ସେବକମାନେ ରଥ ଟାଣିପାରିବେ । ବଡ ଦାଣ୍ଡରେ କଡା ସୂରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ୭୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୪୦୦ ପୋଲିସ ଅଫିସରକୁ ମୁତୟନ କରାଯାଇଛି । ପୁରୀର ସମସ୍ତ ପ୍ରବେଶ ପଥ ସିଲ କରାଯିବା ସହିତ ଗଳିକନ୍ଦିକୁ ମଧ୍ୟ ସିଲ୍ କରାଯାଇଛି । ଆସନ୍ତାକାଲି ଶ୍ରୀଜୀଉଙ୍କର ରଥ ଉପରେ ସୁନାବେଶ, ଶୁକ୍ରବାର ଦିନ ଅଧରପଣା ନୀତି ଏବଂ ଶନିବାର ଦିନ ନୀଳାଦ୍ରିବିଜେ ନୀତି ଅନୁଷ୍ଠିତ ହେବ ।

Leave A Reply

Your email address will not be published.

13 + 14 =