ଭୁବନେଶ୍ୱର : ରାଜ୍ୟରେ କୋରାନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିଲା ବେଳେ ସ୍ଥାନୀୟ ଆକ୍ରାନ୍ତ ଏବେ ଚିନ୍ତା ବଢାଇଲେଣି । ଆଜି ୧୩୬ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ଜୁନ ୨୩ରେ ଲୋକାଲ କେସ୍ ସଂଖ୍ୟା ୧୭ ଥିଲା । ସପ୍ତାହକ ମଧ୍ୟରେ ଏବେ କ୍ରମାଗତ ବୃଦ୍ଧି ପାଇଁ ୩ଶହ ଟପିଗଲାଣି ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ଉଦବେଗଜନକ ହେଲାଣି । ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରୁ ଚିହ୍ନଟ ୨୫ଟି ପଜିଟିଭ୍ ମଧ୍ୟରୁ ୨୩ଟି କେସ୍ ହେଉଛି ସ୍ଥାନୀୟ ସଂକ୍ରମଣ । ଗଞ୍ଜାମ ସ୍ଥିତି ବି ଅଣାୟତ ହେବାରେ ଲାଗିଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩ରେ ପହଞ୍ଚିଥିବା ବେଳେ ହଟସ୍ପଟ ପାଲଟିଥିବା ଗଞ୍ଜାମରେ ସର୍ବାଧିକ ୧୨ଜଣଙ୍କ ମୁଣ୍ଡ ନେଲାଣି ଏହି ମହାମାରୀ । କେବଳ ମୃତ୍ୟୁ ନୁହେଁ, ୧୩୬୭କୁ ଛୁଇଁଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ଉଦବେଗଜନକ ସ୍ଥିତିକୁ ଦେଖି ଆଜିଠାରୁ ଜୁଲାଇ ୬ଯାଏଁ ଛତ୍ରପୁର ଏନ୍ଏସି ଅଞ୍ଚଳକୁ ସଟଡାଉନ ଘୋଷଣା କରିଛନ୍ତିି ଜିଲ୍ଲାପାଳ । ଏହି ୭ଦିନ କେବଳ ଅତ୍ୟାବଶ୍ୟକ ସେବା ଛଡା ଅନ୍ୟ ସବୁ ସେବା ବନ୍ଦ ରହିବ । କେବଳ ଛତ୍ରପୁର ନୁହେଁ ଜିଲ୍ଲାର ୮ ବ୍ଲକ ଓ ସହରାଞ୍ଚଳର ବିଭିନ୍ନ ସ୍ଥାନରୁ କଂଟେନ୍ମେଂଟ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସେହିପରି ଖୁବ୍ କମ୍ ଦିନରେ ୪୦୦ ପାର କରିସାରିଥିବା ଗଜପତି ଜିଲ୍ଲାର କ୍ୱାରେଂଟାଇଟ୍ ଅବଧିକୁ ୨୧ଦିନକୁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ୧୪ ଦିନିଆ କ୍ୱାରେଂଟାଇନ ପରେବି ପଜିଟିଭ୍ ବାହାରୁଥିବାରୁ ଜିଲ୍ଳାପାଳ ଏହି ନିଷ୍ପତି ନେଇଛନ୍ତି । ଅନ୍ୟତମ ହଟସ୍ପଟ ଜିଲ୍ଲା ଯାଜପୁରରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସ ଯିବାକୁ ବାରଣ କରାଯାଇଛି । ଯାଜପୁର ଜିଲ୍ଲାରେ ୪୮ ଘଂଟା ମଧ୍ୟରେ ୮୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ ବରିଷ୍ଠ ସରକାରୀ ଅଧିକାରୀ ବି ସଂକ୍ରମିତ ହୋଇଛନ୍ତି । ସଂକ୍ରମଣ ରୋକିବାକୁ ଯାଜପୁର ଜିଲ୍ଲାରେ ଆସନ୍ତା ୮ତାରିଖ ଯାଏଁ କୌଣସି ସାଧାରଣ ବ୍ୟକ୍ତିକୁ ସରକାରୀ ଅଫିସ ଯିବାକୁ ମନା କରାଯାଇଛି ।