ନୀଳାଦ୍ରୀବିଜେ ବଳରାମ ଦାସଙ୍କ ବର୍ଣ୍ଣନାରେ: ନନ୍ଦିଘୋଷ ନୁହେଁ, ଗରୁଡ ପିଠିରେ ଲକ୍ଷ୍ମୀଙ୍କୁ ନେଇ ବଡଦେଉଳକୁ ଫେରିଥିଲେ ଜଗନ୍ନାଥ
ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନ୍ତିମପର୍ବ ହେଉଛି ନୀଳାଦ୍ରୀବିଜେ । ଶ୍ରୀଗୁଣ୍ଡିଚା ମନ୍ଦିରରେ ସାତଦିନ ରହଣି ପରେ ବାହୁଡା ଦଶମୀ ଦିନ ଠାକୁରମାନେ ଶ୍ରୀମନ୍ଦିରର ସିଂହଦ୍ୱାରକୁ ଫେରନ୍ତି । ପରିଶେଷରେ ଏହିଦିନ ଠାକୁରମାନେ ରତ୍ନସିଂହାସନକୁ ପ୍ରତ୍ୟାବର୍ତନ କରନ୍ତି । ଏଣୁ ଏହାକୁ ନୀଳାଦ୍ରିିବିଜେ କୁହାଯାଏ । ପୂର୍ବେ ଏହା ଆଷାଢ ଶୁକ୍ଳ ଦ୍ୱାଦଶ ତିଥିରେ ଅନୁଷ୍ଠିତ ହେଉଥିଲା । ଏବେ ସାଧାରଣତଃ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଛି । କିନ୍ତୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଏହି ବାର୍ଷିକ ଉତ୍ସବ ବ୍ୟତୀତ, ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ରେ ଆଉ ଗୋଟିଏ ନୀଳାଦ୍ରିବିଜେ ର ବର୍ଣ୍ଣନା ରହିଛି । ତାହା ଏହି ବାର୍ଷିକ ରୀତିନୀତି ଠାରୁ ସଂପୂର୍ଣ୍ଣ ଭିନ୍ନ ଓ ଅତ୍ୟନ୍ତ ରୋଚକ ହୋଇଥାଏ । ତେବେ ଲକ୍ଷ୍ମୀପୁରାଣ ର କାହାଣୀତ ସବୁ ଓଡ଼ିଆଙ୍କୁ ଜଣା । ଶ୍ରୀୟାଚଣ୍ଡାଳୁଣୀ ଘରେ ପୂଜା ଘେନିଥିବାରୁ ଦେବୀ ଲକ୍ଷ୍ମୀଙ୍କ ପ୍ରତି ଦେଢଶୁର ବଳଭଦ୍ର ରୁଷ୍ଟ ହୁଅନ୍ତି ଏବଂ ତାଙ୍କ ଆଦେଶରେ ଜଗନ୍ନାଥ ଲକ୍ଷ୍ମୀଙ୍କୁ ବଡ ଦେଉଳରୁ ବାହାର କରି ଦିଅନ୍ତି । ସେ ଯିବା ପରେ ବଡଦେଉଳ ଲକ୍ଷ୍ମୀଛଡା ହୋଇଯାଏ । ଫଳରେ ଦୁଇ ଭାଇ ଅନ୍ନ, ଜଳ ନପାଇ ପରିଶେଷରେ ଯାଇ ସେହି ଲକ୍ଷ୍ମୀଙ୍କ ଉଆସରେ ପହଂଚନ୍ତି ଏବଂ ତାହା ଏକ ଚଣ୍ଡାଳୁଣୀର ଘର ବୋଲି କୁହାଗଲେ ମଧ୍ୟ , ସେହିଠାରେ ଅନ୍ନଜଳ ସେବନ କରନ୍ତି । ପରିଶେଷରେ ପ୍ରକୃତ କଥା ଜାଣି ବଳଭଦ୍ରଙ୍କ ସହମତିରେ ଲକ୍ଷ୍ମୀ ପୁଣି ବଡଦେଉଳକୁ ଫେରନ୍ତି । ତାଙ୍କ ସାଙ୍ଗରେ ବଳଭଦ୍ର , ସୁଭଦ୍ରା ଓ ଜଗନ୍ନାଥ ବି ଫେରନ୍ତି ବଡଦେଉଳକୁ । ଏହା ହେଉଛି ଲକ୍ଷ୍ମୀପୂରାଣ ର ନିଳାଦ୍ରିବିଜେ । ଶ୍ରୀଜଗନ୍ନାଥଙ୍କ ବାର୍ଷିକ ଗୁଣ୍ଡିଚା ମହୋତ୍ସବର ବାହୁଡାଯାତ୍ରାରେ, ତାଳଧ୍ୱଜ ରଥରେ ବଳଭଦ୍ର, ନନ୍ଦିଘୋଷ ରଥରେ ଜଗନ୍ନାଥ ଏବଂ ଦେବଦଳନ ରଥରେ ସୁଭଦ୍ରା ଓ ସୁଦର୍ଶନ ଶ୍ରୀଗୁଣ୍ଡିଚା ମନ୍ଦିରରୁ ସିଂହଦ୍ୱାରକୁ ଫେରିଥାନ୍ତି । ପରେ ଗୋଟିପହଣ୍ଡିରେ ସେମାନେ ରଥରୁ ରତ୍ନସିଂହାସନକୁ ଯାଆନ୍ତି । କିନ୍ତୁ ଲକ୍ଷ୍ମୀପୁରାଣ । ନିଳାଦ୍ରିବିଜେ ଅଲଗା ହୋଇଥାଏ । ବଳରାମ ଦାସଙ୍କ ବର୍ଣ୍ଣନା ଅନୁସାରେ , ଏଥିରେ ବଳଭଦ୍ର ତାଙ୍କ ତାଳଧ୍ୱଜ୍ରେ ଏବଂ ସୁଭଦ୍ରା ତାଙ୍କ ବିଜୟା ରଥରେ ବଡଦେଉଳକୁ ଫେରନ୍ତି । କିନ୍ତୁ ଜଗନ୍ନାଥ ତାଙ୍କ ନନ୍ଦିଘୋଷ ରଥରେ ଫେରି ନାହାନ୍ତି । କାରଣ ଯେତେବେଳେ ଏହି ପାରିବାରିକ ବିବାଦର ସମାଧାନ ପରେ ଲକ୍ଷ୍ମୀଙ୍କୁ ନେଇ ବଡଦେଉଳକୁ ଫେରିବା କଥା ହୋଇଛି , ସେତେବେଳେ ଜଗନ୍ନାଥ ତାଙ୍କର ବାହନ ଗରୁଡକୁ ସ୍ମରଣ କରନ୍ତି । ରମ୍ୟକ ଦ୍ୱୀପରେ ଥିବା ଗରୁଡ ତାହା ଜାଣିପାରି ତୁରନ୍ତ ଆସି ତାଙ୍କ ନିକଟରେ ପହଂଚନ୍ତି । ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ସେହି ଗରୁଡ ପିଠିରେ ହିଁ ଜଗନ୍ନାଥ ବଡଦେଉଳକୁ ଫେରନ୍ତି ।