ବାରିପଦା: ଜିଲ୍ଲାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଆଉ ମାଓ ପୋଷ୍ଟରକୁ ଦେଖି ଗ୍ରାମବାସୀଙ୍କ ଭିତରେ କୋକୁଆ ଭୟ ଖେଳି ଯାଇିଛି । ଏହି ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଶୁକୃଳି ବ୍ଲକର ବାରିଆ ଗ୍ରାମରେ । ସେହି ଗ୍ରାମର ମଧ୍ୟ ଭାଗରେ ନାଲି କାଳିରେ ଲେଖା ଥିବା ଏକ କାଗଜ ପୋଷ୍ଟର ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ । ଯେଉଁଥିରେ ଲେଖା ଯାଇଛି କି ଆମ୍ଭେ ମାନେ ଏହି ଗ୍ରାମରେ ପ୍ରବେଶ କରି ସାରିଛୁ ତେଣୁ ଏହି ଗ୍ରାମକୁ ଖାଲି କରିଦେବା ପାଇଁ କହିଛନ୍ତି , ନହେଲେ ତାଙ୍କ ସର୍ତରେ ରାଜି ହୋଇ ୨ତାରିଖ ସୁଦ୍ଧା ୧୦ ଲକ୍ଷ ଟଙ୍କା ନଚେତ ୧୦୦ କୁଇଂଟାଲ ଚାଉଳ ଦିଆଯାଉ, ଏବଂ ସେଥିରେ ଲେଖାଯାଇଛି ଯେ, ଆମ କଥାକୁ ମଜା ଭାବିବେ ନାହିଁ, ଏଇ ଦିନେ ଦୁଇଦିନ ମଧ୍ୟରେ ଆମେ ଏମିତି କିଛି କାମକରି ଧମାଲ କରିବୁ ଯେ ଆପଣମାନଙ୍କର ବିଶ୍ୱାସ ହୋଇଯିବ ।
ସେମାନେ ଶେଷରେ ଜୟ ମାଓବାଦୀ ବୋଲି ମଧ୍ୟ ପୋଷ୍ଟରରେ ଲେଖିଛନ୍ତି । ଏହିଭଳି ଘଟଣା ଶୁକୃଳି ଅଂଚଳରେ ଆଗରୁ କେବେ ହୋଇନଥିବା ବେଳେ ଏନେଇ ଗ୍ରାମରେ ହଇଚଇ ଖେଳିଯାଇଛି । ଏ ବାବଦରେ ଗ୍ରାମରେ ଖୁବ ଚର୍ଚ୍ଚା ମଧ୍ୟ ହେଉଛି । ଏହା ମାଓବାଦୀ ପୋଷ୍ଟର ଲଗାଯାଇଥିବା ନେଇ ଗ୍ରାମରେ କୋକୁଆ ଭୟ ଦେଖାଦେଇଛି । ରରୁଆଁ ଥାନା ଅଧିକାରୀ ଦିବ୍ୟକାନ୍ତି ଲାକ୍ରାଙ୍କୁ ପଚାରିବାରୁ ସେ ଏହି ଘଟଣା ଉପରେ ନଜର ରଖିଥିବା ସୂଚନା ଦେଇଛନ୍ତି । ଏବଂ ଗ୍ରାମବାସିଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । ତେବେ ଏହା ସତରେ ମାଓ ପୋଷ୍ଟର କି ଲୋକ ଓ ପ୍ରସାସନକୁ ଭ୍ରମିତ କରିବାର କାହାର ହୀନ ପ୍ରୟାସ ତାହା ପୋଲିସ ଖୋଳତାଡ ପରେ ଜଣାପଡିବ ବୋଲି କୁହାଯାଉଛିା