ରାଜ୍ୟରେ ୫ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଢ଼ୁଛି ରାଜ୍ୟର ତାପମାତ୍ରା । ଆଗକୁ ଆହୁରି ବଢ଼ିବ । ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ଏବେ ତାପମାତ୍ରାରେ ସେମିତି କିଛି ବଡ଼ ପରିବର୍ତନ ଦେଖାଯିବନି । କିନ୍ତୁ ଏହା ପରେ ଗରମ ବଢ଼ିବ । କିଛି ସ୍ଥାନରେ ୪୦ ଡିଗ୍ରି ପାର ହେବ ତ କିଛି କିଛି ସ୍ଥାନରେ ତାପମାତ୍ରା ୪୪ ଡିଗ୍ରି ଛୁଇଁବ । ପବନ ଦିଗ ପରିବର୍ତନ ଯୋଗୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବ ବୋଲି ଆଶଙ୍କା କରାଯାଉଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, କାଳବୈଶାଖୀ ଆଉ ୫ ଦିନ ଲାଗି ରହିବ । ତା’ପରେ ଗରମ ବହୁତ ବଢ଼ିବ । ଅନୁମାନ କରାଯାଉଛି ଯେ, କାଲି ରବିବାର ଦିନ ଭୁବନେଶ୍ୱର ସମେତ ଉପକୂଳ ଅଂଚଳରେ ତାପମାତ୍ରା ସାମାନ୍ୟ କମିବ କିମ୍ବା ଅପରିବର୍ତିତ ରହିବ । ତେବେ ସୋମବାର ଦିନ ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ଓ ତା’ପରେ କ୍ରମଶଃ କମିବ । ଉତର ଓ ପଶ୍ଚିମ ଓଡ଼ିଶାରେ ଆସନ୍ତାକାଲି ତାପମାତ୍ରା ସାମାନ୍ୟ ବଢ଼ିବ ଓ ତା’ପରେ ୧୫ ତାରିଖ ଯାଏଁ ଅପରିବର୍ତିତ ରହିବ । ୧୬ ତାରିଖରୁ ପବନର ଦିଗ ପରିବର୍ତନ ହେବ । ରାଜ୍ୟକୁ ବର୍ତମାନ ବୋହୁଥିବା ବଙ୍ଗୋପସାଗରୀୟ ପବନ ପରିବର୍ତେ ପଶ୍ଚିମ ଗରମ ପବନ ବହିବ । ଏଣୁ କାଳବୈଶାଖୀ କମିବା ସହ ତାପମାତ୍ରା ବଢ଼ିବ । ଅନୁମାନ କରାଯାଉଛି ଯେ, ୧୮ ତାରିଖ ବେଳକୁ ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ଓ ତା’ପରେ ପୁଣି କ୍ରମଶଃ ବଢ଼ିବ ।ଅତ୍ୟଧିକ ଆର୍ଦ୍ରତା ହେତୁ ଉପକୂଳ ଅଂଚଳରେ ତାପମାତ୍ରା ପ୍ରାୟ ୫ ଡିଗ୍ରି ସେଲ୍ସିୟସ୍ ଅଧିକ ଅନୁଭୂତ ହେବ । ଉତର-ପଶ୍ଚିମାଂଚଳର କେତେଗୁଡ଼ିଏ ସ୍ଥାନରେ ୧୮ ତାରିଖକୁ ତାପମାତ୍ରା ୪୨ ଡିଗ୍ରି ଅତିକ୍ରମ କରିବ । ସେହିପରି ମାଲକାନଗିରି, କଳାହାଣ୍ଡି, ବଲାଙ୍ଗିର, ଗଜପତି, ବୌଦ୍ଧ ଓ ତାଳଚେରରେ ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ଅଛି । ଆସନ୍ତାକାଲିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆଜି ରାଜ୍ୟର ୯ଟି ଜିଲ୍ଲାରେ ଖୁବ୍ ଜୋର୍ରେ ପବନ ବହିବ । ଘଂଟାପ୍ରତି ୪୫ରୁ ୫୫ କି.ମି. ବେଗରେ ପବନ ବହିବା ସହ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳର କେତେକ ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କେନ୍ଦୁଝରରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ । ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave A Reply

Your email address will not be published.

five × 4 =