ସୁନାନଦୀରେ ଫର୍ଣ୍ଣେସ ତୈଳ : ଜଳ ପ୍ରଦୁଷିତ

ଯୋଡା: ଭାରସାମ୍ୟ ହରାଇ ଓଲଟିଲା ଆରୟା ପ୍ଲାଂଟକୁ ଆସୁଥିବା କେମିକାଲ ଅଏଲ ଟ୍ୟାଙ୍କର ଗାଡି । ଦୁର୍ଘଟଣାରେ ନିର୍ଗତ କେମିକାଲ ଫର୍ଣ୍ଣେସ ଅଏଲ ବସ୍ତି ଅଂଚଳ ଦେଇ ସୁନାନଦୀରେ ମିଶିଯାଇଛି । ଯାହାଫଳରେ ନଦୀରେ ଥିବା ମାଛ,ବେଙ୍ଗ,ସାପ ସହ ଅନ୍ୟାନ୍ୟ ଜଳଚର ପ୍ରାଣୀ ବହୁସଂଖ୍ୟାରେ ମୃତ୍ୟୁ ହେବା ସହିତ ନିକଟସ୍ତ ଲହଣ୍ଡା, କାଳିଆବେଡା, ବିରକଳା, ଗୋବିନ୍ଦପୁର ଆଦି ଗ୍ରାମ ଗୁଡିକରେ ବିଷାକ୍ତ ପାଣି ବୋହିବାରୁ ସ୍ଥାନୀୟ ଗ୍ରାମବାସୀ ଭୟଭୀତ ହେବା ସହିତ ବିଷାକ୍ତ ଗନ୍ଧ ପରିବେଶ ପାଇଁ ବିପଦ ସୃଷ୍ଟି କରିଛି । କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ କଳାପାହାଡ ଟଲକହାଟିଂ ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନାଯୋଗ୍ୟ, ଗତରାତିରେ ଆରୟା ପ୍ଲାଂଟକୁ ଆସୁଥିବା କେମିକାଲ ଅଏଲ ଟ୍ୟାଙ୍କର ଗାଡି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ୟୁପି-୧୭ଟି-୮୧୧୪ ନମ୍ବର ଥିବା ଏହି ତେଲ ଟ୍ୟାଙ୍କରଟି ଫର୍ଣ୍ଣେସ ତୈଳ ନେଇ ବଡବିଲ ଆରୟା ଷ୍ଟିଲ ପ୍ଲାଂଟକୁ ଯିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟ୍ୟାଙ୍କରଟି ଓଲଟିବା ଫଳରେ ସେଥିରେ ଥିବା ବିଷାକ୍ତ ଫର୍ଣ୍ଣେସ କେମିକାଲ ତୈଳ ନିର୍ଗତ ହୋଇ ନିକଟରେ ଥିବା ଚିରସ୍ରୋତା ସୁନାନଦୀରେ ମିଶିଯାଇଛି । ବିଷାକ୍ତ ଫର୍ଣ୍ଣେସ ତୈଳ ମିଶିଯିବା ଫଳରେ ନଦୀରେ ଥିବା ଜଳଚର ପ୍ରାଣୀ ସବୁ ମକି ଭାସୁଥିବାର ଦୃଷ୍ଟିଗୋଚର ହୋଇଛି । ତେଲର ଦୁର୍ଗନ୍ଧ ଅତ୍ୟନ୍ତ ବିଷାକ୍ତ କାରଣରୁ ନିକଟରେ ଥିବା ଟଲକହାଟିଂ ବସ୍ତିବାସିନ୍ଦାଙ୍କୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି । ଉକ୍ତ ହାଟିଂର ଗ୍ରାମବାସୀ ନଦୀରେ ଗାଧୋଇବା ଦ୍ୱାରା ସେମାନଙ୍କ ଆଖି ଫୁଲିଯିବା ସହ ଦେହ ହାତ କୁଣ୍ଡେଇ ହେଉଥିବା ନେଇ ଅଭିଯୋଗ ହୋଇଛି । ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତେଲ ସଫା କରିବାର ବ୍ୟବସ୍ଥା କରାଯାଇନାହିଁ । ହାଟିଂ ଅଂଚଳରୁ ଅତିଶୀଘ୍ର ବିଷାକ୍ତ ତେଲକୁ ସଫା କରାଯିବା ସହ ସୁନାନଦୀର ପାଣିକୁ ମଧ୍ୟ ତୁରନ୍ତ ସଫା କରିବାକୁ ସ୍ଥାନୀୟ ଅଂଚଳରେ ଦାବି ହୋଇଛି । ଯୋଡା ଥାନା ପୋଲିସ ଘଟଣାସ୍ଥଳରେ ପହଂଚିଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

Leave A Reply

Your email address will not be published.

14 − 8 =