ବିପିୟୁଟିର ଅନଲାଇନ୍ ପରୀକ୍ଷାକୁ ବିରୋଧ

ଭୁବନେଶ୍ୱର: କରୋନା ମହାମାରୀ ବର୍ତ୍ତମାନ ରାଜ୍ୟରେ ଭୟଙ୍କର ରୂପ ଧାରଣ କରୁଥିବା ବେଳେ ବିଜୁପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) କର୍ତ୍ତୃପକ୍ଷ ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ ଖାମଖିଆଲି ଭାବରେ ଅନ୍ଲାଇନ୍ ପରୀକ୍ଷା କରିବା ପାଇଁ ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାହାକୁ ଏ.ଆଇ.ଡି.ଏସ୍.ଓ,ଓଡିଶା ରାଜ୍ୟ ପରିଷଦ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ସଂଗଠନର ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ଏବଂ ସଂପାଦକ ସୁବାସ ନାୟକ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ଯେ,ଅନ୍ଲାଇନ୍ ପରୀକ୍ଷା ପରିଚାଳନା କରିବା ପାଇଁ ବିପିୟୁଟି କର୍ତ୍ତୃପକ୍ଷ ସୁଦୀର୍ଘ ୨୫ ପୃଷ୍ଠା ବିଶିଷ୍ଟ ଯେଉଁ ନିୟମାବଳୀ ଜାରି କରିଛନ୍ତି ତାହାକୁ ବର୍ତ୍ତମାନ ଲକ୍ଡାଉନ୍ ପରିସ୍ଥିତିରେ ରାଜ୍ୟର ବିଭିନ୍ନ ପ୍ରାନ୍ତ ଏପରିକି ରାଜ୍ୟ ବାହାରେ ଥିବା ହଜାର ହଜାର ଛାତ୍ରଛାତ୍ରୀମାନଙ୍କ ପକ୍ଷରେ ପାଳନ କରିବା ଏକ ଅସମ୍ଭବ ବ୍ୟାପାର । ସରକାରଙ୍କର ଏହି ନିୟମାବଳୀ ଅନୁଯାୟୀ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଏକ କମ୍ପ୍ୟୁଟର, ୱେବ କ୍ୟାମ୍, ଇଣ୍ଟରନେଟ୍ ଏବଂ ତିନି ଘଣ୍ଟାର ଲଗାତର ବିଦ୍ୟୁତ ସଂଯୋଗ ଆଦିର ଆବଶ୍ୟକତା ରହିଛି । ଏହି ନିୟମାନୁସାରେ ଦୁଇଘଣ୍ଟାର ଏହି ପରୀକ୍ଷା ଚାଲୁଥିବା ସମୟରେ ମାତ୍ର ୧୫ ମିନିଟ୍ ପାଇଁ ଯଦି କୌଣସି ପରୀକ୍ଷାର୍ଥୀଙ୍କର ନେଟ୍ୱାର୍କର ସମସ୍ୟା,ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କିମ୍ବା ଯେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଯାଏ ତେବେ ତାଙ୍କ ପରୀକ୍ଷାକୁ ଅସିଦ୍ଧ ଘୋଷଣା କରାଯିବ । ଏଥିରୁ ସହଜରେ ଅନୁମେୟ ଯେ,ଏହି ସମସ୍ତ ନିୟମାବଳୀକୁ ଆମ ରାଜ୍ୟର ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନଙ୍କ କଥା ଛାଡନ୍ତୁ ଏପରିକି ସହରାଞ୍ଚଳରେ ବସବାସ କରୁଥିବା ଛାତ୍ରଛତ୍ରୀମାନଙ୍କ ପକ୍ଷରେ ପାଳନ କରିବା ଅସମ୍ଭବ । ଅତ୍ୟନ୍ତ ଅବୈଜ୍ଞାନିକ ଭାବରେ ଏହି ଅନ୍ଲାଇନ୍ ପରୀକ୍ଷା ଛାତ୍ରଛାତ୍ରୀମାନେ ପୂର୍ବରୁ କେବେ ବି ଅଭ୍ୟସ୍ତ ନଥିବା ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ପରିଚାଳିତ ହେବ । ଫଳରେ ଯେ କୌଣସି ମୁହୂର୍ତ୍ତରେ କିଛି ଯାନ୍ତ୍ରିକ ତ୍ରୁଟି ଫଳରେ ଏହା ଯଦି ଭୁଲ୍ ରିଡିଂ ପ୍ରଦାନ କରେ ତେବେ ହଜାର ହଜାର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ । ଏଣୁ ଅନ୍ଲାଇନ୍ ଜରିଆରେ ପରୀକ୍ଷା କରିବାର ଏହି ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ, ଅବୈଜ୍ଞାନିକ ଓ ଅଗଣତାନ୍ତ୍ରିକ ନିଷ୍ପତ୍ତିକୁ ବିପିୟୁଟି କର୍ତ୍ତୃପକ୍ଷ ତଥା ରାଜ୍ୟ ସରକାର ଅବିଳମ୍ବେ ବାତିଲ କରିବାକୁ ଏ.ଆଇ.ଡି.ଏସ୍.ଓ ପକ୍ଷରୁ ଦୃଢ ଦାବୀ କରାଯାଇଛି ।

Leave A Reply

Your email address will not be published.

3 × five =