ନୀଳାଚଳ ଇସ୍ପାତକୁ ପୁନରୁଦ୍ଧାର କର

ଭୁବନେଶ୍ୱର: ଓଡ଼ିଶା ଗୌରବ ଭାବେ ପରିଚିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍) ଏବେ ଘୋର ସଙ୍କଟ ଦେଇ ଗତି କରୁଛି । ମାର୍ଚ୍ଚ ୨୭ ତାରିଖରୁ ଏହାର ସମସ୍ତ ୟୁନିଟ୍ ବନ୍ଦ ରହିଛି । କର୍ମଚାରୀମାନେ ସେମାନଙ୍କ ବେତନ ପାଇନାହାନ୍ତି । ଏଣୁ ଏହାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଅ । ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି ଚିଠି ଲେଖିଛନ୍ତି ବରଗଡ଼ ଲୋକସଭା ସାଂସହ ସୁରେଶ ପୂଜାରୀ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଶ୍ରୀ ପୂଜାରୀ କହିଚନ୍ତି, ଯାଜପୁର କଳିଙ୍ଗନଗରରେ ଅବସ୍ଥିତ ୧.୧ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ ପ୍ଲାଂଟ ନୀଳାଚଳ ଇସ୍ପାତରେ ଏମ୍ଏସ୍ଟିସିର ୪୯.୭୮% ସେୟାର ରହିଥିବା ବେଳେ ରାଜ୍ୟ ସରକାରଙ୍କ ୩୨.୪୭% ଓ ଏନ୍ଏମ୍ଡିସିର ୧୦% ସେୟାର ରହିଛି । ଜାନୁଆରୀ ମାସରେ କେନ୍ଦ୍ର କ୍ୟାବିନେଟ୍ କମିଟି ଏନ୍ଆଇଏନ୍ଏଲ୍ର ୧୦୦% ସେୟାର ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତି ନେଇଛି । ଅପରପକ୍ଷରେ ମୂଳ ପୁଞ୍ଜି ଅଭାବରୁ ମାର୍ଚ୍ଚ ମାସରୁ ଏହାର ସମସ୍ତ ୟୁନିଟ୍ ବନ୍ଦ ପଡ଼ିଛି । ଦରମା ମିଳୁ ନ ଥିବା କାରଣରୁ ଏହା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ ୫,୦୦୦ ପରିବାର ଏବେ ଅର୍ଥାଭାବରେ ଜୀବନ କାଟୁଛନ୍ତି । କରୋନା ମହାମାରୀ କାରଣରୁ ବହୁ ପ୍ରବାସୀ ଶ୍ରମିକ ଏବେ ଓଡ଼ିଶା ଫେରୁଛନ୍ତି । ସେମାନଙ୍କୁ ନିଯୁକ୍ତି ଯୋଗାଇବା ଉଦେଶ୍ୟରେ ରାଜ୍ୟରେ ବନ୍ଦ ପଡ଼ିଥିବା ଶିଳ୍ପର ପୁନରୁଦ୍ଧାର ନିହାତି ଜରୁରି । ଏଣୁ ଏମ୍ଏମ୍ଟିସିର ସଂଶଧନକୁ ଏନ୍ଏମ୍ଡିସି ଦ୍ୱାରା ଅଧିଗ୍ରହଣ କରାଇଲେ, ନୀଳାଚଳ ଇସ୍ପାତ ପୁଣିଥରେ କାର୍ଯ୍ୟକ୍ଷମ ହୋଇପାରିବ ଓ ଏହା ନିଜର ପୂର୍ବ ଲାଭଜନକ ସ୍ଥିତିକୁ ଫେରିପାରିବ । ଏଣୁ ପ୍ରଧାନମନ୍ତ୍ରୀ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଚିଠିରେ ଶ୍ରୀ ପୂଜାରୀ ଅନୁରୋଧ କରିଛନ୍ତି । ସେହିପରି ବରଗଡ଼ ସାଂସଦ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ମଧ୍ୟ ଚିଠି ଲେଖି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନର ଶିଳ୍ପ ନଗରୀ ଲକ୍ଷ୍ୟ ପୂରଣ ପାଇଁ ଏନ୍ଆଇଏନ୍ଏଲ୍ ପୁନରୁଦ୍ଧାର ପାଇଁ ଅନୁରୋଧ କରିଛନ୍ତି । ଏହାବ୍ୟତୀତ ଶ୍ରୀ ପୂଜାରୀ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ମଧ୍ୟ ଚିଠି ଲେଖି ଏହି ସମନ୍ୱିତ ଇସ୍ପାତ ଶିଳ୍ପକୁ ଚାଲୁ କରିବାକୁ ନିବେଦନ କରିଚନ୍ତି ।

Leave A Reply

Your email address will not be published.

16 + thirteen =