ଯାଜପୁର : ଅକରପଡ଼ା ପଂଚାୟତ ଇଟରା ଗ୍ରାମକୁ ଫେରି ଘରୋଇ ସଂଗରୋଧରେ ଥିବା ଗ୍ରାମର ଜଣେ ହରିଆନା ଫେରନ୍ତାଙ୍କ ସ୍ୱାବ୍ ପଜିଟିଭ ଆସିବା ପରେ ସଂପୃକ୍ତ ଆକ୍ରାନ୍ତଙ୍କ ଏବେ ଡ଼ୁବୁରୀ ସ୍ତିତ ଟାଟା କୋଭିଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତି ହୋଇଥିବା ବେଳେ ଇଟରା ଗ୍ରାମ ସାହୁ ସାହିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ରମଣ ପ୍ରତିରୋଧ ଅଂଚଳ ଭାବେ ଘୋଷଣା କରାଯାଇଛି ।
ଗ୍ରାମର ୩୦ ପରିବାରର ୧୯୦ ଜଣ ସଦସ୍ୟ ଏହି ସଂକ୍ରମଣ ପ୍ରତିରୋଧ ଅଂଚଳରେ ରହୁଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ସଂକ୍ରମିତଙ୍କ ସଂଶ୍ପର୍ଷରେ ଆସିଥିବା ୭୦ ଜଣଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ସ୍ଥିର ହୋଇଥିବା ବେଳେ ମଙ୍ଗଳବାର ଇଟରା ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲା ଯାଇ ଗ୍ରାମର ୫୯ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଛି । ଅବଶିଷ୍ଟ ୧୧ ଜଣ ଅନୁପସ୍ଥିତ ଥିବାରୁ ସେମାନଙ୍କ ସ୍ୱାବ୍ ସଂଗ୍ରହ ହୋଇପାରିନଥିଲା । ଦଶରଥପୁର ତହସିଲଦାର ସୈାଭାଗ୍ୟ ବେହେରା, ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଉମାକାନ୍ତ ମଲ୍ଳିକଙ୍କ ତତ୍ୱାବଧାନରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ଃ ସୁଶାନ୍ତ କୁମାର ଦାସଙ୍କ ସମେତ ବିକାଶ ମିଶ୍ର, ସତ୍ୟଜିତ୍ ରାଉତରାୟ, ସଂଗୀତା ଦାସ, ବିଷ୍ଣୁପ୍ରିୟା ମିଶ୍ର ପ୍ରମୁଖ ସ୍ୱାବ୍ ସଂଗ୍ରହ କରିଥିବା ବେଳେ ଯାଜପୁର ପୁଲିସ ପକ୍ଷରୁ ସଂକ୍ରମଣ ପ୍ରତିରୋଧ ଅଂଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।