ଭୁବନେଶ୍ୱର: ରାଜଧାନୀରେ ୨୪ ଘଂଟା ପୂର୍ବରୁ ୫୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆସନ୍ତାକାଲି ବିଏମ୍ସି ପକ୍ଷରୁ ଏ ସମ୍ପର୍କରେ ଘୋଷାଣା କରାଯିବ । ଏଥିରେ ଆଇଗିଣିଆ, ପାତ୍ରପଡ଼ାରୁ ୨ ଜଣ ଲେଖାଏଁ, ସାଲିଆସାହି, ଏମ୍ସରୁ ମଧ୍ୟ ପଜିଟିଭ ରହିଛନ୍ତି । କ୍ରମାଗତ ଭାବେ ସାଲିଆସାହି ଅଂଚଳରୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯଦି ଶୁକ୍ରବାର ବିଏମ୍ସି ପକ୍ଷରୁ ଏହି ସଂଖ୍ୟା ସମ୍ପର୍କରେ ଘୋଷଣା କରାଯାଏ, ତାହାଲେ ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଶହ ପାର୍ କରିବ । ଗତ ୨୪ ଘଂଟାରେ ରାଜଧାନୀରେ ୩୨ ଜଣ କରୋନା ପଜିଟିଭଙ୍କ ସମ୍ପର୍କରେ ବିଏମ୍ସି ପକ୍ଷରୁ ଆଜି ଘୋଷଣା ହୋଇଛି । ଏଥିରେ ୧୪ଜଣ ସଙ୍ଗରୋଧ ଓ ୧୮ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ଦର୍ଶାଯାଇଛି । ସଙ୍ଗରୋଧ କେନ୍ଦ୍ରରେ ଏମ୍ସର ଜଣେ କର୍ମଚାରୀ ଓ ସୁରକ୍ଷାକର୍ମୀ ଥିବା ବେଳେ କଳିଙ୍ଗନଗର, ବାପୁଜୀ ନଗର, ରସୁଲଗଡ଼, ପାତ୍ରପନା, ଡ଼ୁମୁଡ଼ୁମା ଫେଜ୍-୪, ୟୁନିଟ-୨, ମଂଚେଶ୍ୱର ଆରପିଏଫ୍ ଷ୍ଟାଫ ଓ ବାପୁଜୀ ନଗରରୁ ଆକ୍ରାନ୍ତ ରହିଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆଇଆରସି ଭିଲେଜ୍ ନୂଆପଲ୍ଲୀ ବ୍ରିଟ୍ କଲୋନି, ରେଳବାଇରେ ସେବା ପ୍ରଦାନ କରୁଥିବା ଚନ୍ଦ୍ରଶେଖରପୁର ଅଂଚଳର ୩୨ ବର୍ଷ ଯୁବକ, ଏମ୍ସର କର୍ମଚାରୀ, ୨ ଜଣ ୟୁନିଟ୍-୨ ହଟସ୍ପଟାଲକୁ ଗସ୍ତ କରିଥିବା ବରମୁଣ୍ଡା ଅଂଚର, ବରମୁଣ୍ଡା ମହିମା ମିଶ୍ର ଲେନ୍, ଗଙ୍ଗନଗର, ନୂଆପଲ୍ଲୀ, ନୂଆଗାଁର ୨ ଜଣ ଶିଶୁଭବନ ଛକ ନିକଟ, ସାଲିଆସାହି, ନଖରା, ଭରତପୁର, ରସୁଲଗଡ଼ ସାଁପୁର ଗାଁର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀ ରହିଛନ୍ତି । ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୭ରେ ପହଂଚିଥିବା ବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୪୭ ରହିଛି । ଏ ପର୍ଯ୍ୟନ୍ତ ୩୦୨ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେଣି । ଖୋର୍ଦ୍ଧା ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୧୩୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପ୍ରାୟ ୫୦ ପ୍ରତିଶତ ହେଉଛନ୍ତି ରାଜଧାନୀର । ତେବେ ରାଜଧାନୀର ପ୍ରମୁଖ ଘରୋଇ ହସ୍ପିଟାଲଗୁଡ଼ିକ ଏବେ କରୋନା ହଟସ୍ପଟ୍ ହେବାକୁ ବସିଛି । ନିକଟରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ବହୁ ସଂଖ୍ୟାରେ ପଜିଟିଭ ଚିହ୍ନଟ ହେବ । ପରେ ଏହାକୁ ସିଲ୍ କରି ଦିଆଯାଇଥିଲା । ରାଜ୍ୟର ହଟସ୍ପଟ୍ ଅଂଚଳରୁ ବହୁ ସଂଖ୍ୟାରେ ରୋଗୀ ଏସବୁ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ରାଜଧାନୀରେ ସଂକ୍ରମଣ ବଢିଛି । ଏମ୍ସରେ ବହୁ ସଂଖ୍ୟାରେ ରୋଗୀଙ୍କ ସମେତ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଏହାର ଓପିଡିକୁ ବନ୍ଦ ରଖିବା ଲାଗି କର୍ତୃପକ୍ଷ ନିଷ୍ପତି ନେଇଛନ୍ତି । ଯଦି ଘରୋଇ ହସ୍ପିଟାଲଗୁଡିକରେ ଏହିଭଳି ଭାବେ ସଂକ୍ରମଣ ବଢ଼ିବ, ତାହାଲେ ଆଗାମୀ ଦିନରେ ରୋଗୀ ସେବା ବାଧାପ୍ରାପ୍ତ ହେବ ନେଇ ଏବେଠାରୁ ଆଶଙ୍କା ସୃଷ୍ଟି ହେଲାଣି । ଅପରପକ୍ଷରେ ଏବେ ଦୈନିକ ପ୍ରାୟ ୪୦ ହଜାର ଲୋକ ରାଜଧାନୀକୁ ଆସୁଥିବା ବେଳେ ରାଜଧାନୀ ପାଇଁ ଏହା ସମସ୍ୟା ସୃଷ୍ଟି କରୁଛି । ଯଦିଓ ହଟ୍ସ୍ପଟ୍ ଜିଲ୍ଳାଗୁଡ଼ିକରୁ ରାଜଧାନୀର ବସ୍ତି ଅଂଚଳକୁ ଆସିବା ଲାଗି ବିଏମ୍ସି ବାରଣ କରିଛି, ଏହା ସତ୍ୱେ ଲୋକ ଲୁଚି ଛପି ଏସବୁ ସ୍ଥାନକୁ ଆସୁଛନ୍ତି ଯାହା ଆଗକୁ ରାଜଧାନୀ ପାଇଁ ଆଡୁଆ ପରିସ୍ଥିତି ସୃଷ୍ଟି କରିପାରେ ।