ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ୱର୍ର ଉନ୍ନତୀକରଣ ତଥା ‘ଏକାମ୍ର ଯୋଜନା’ କାର୍ଯ୍ୟ ଆଉ ପାଦେ ଆଗେଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଯୋଜନାରେ ଶହେ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ ରାଜ୍ୟ ପୂର୍ତ ବିଭାଗ ପକ୍ଷରୁ ଆଜି ୨୫ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହି ଅର୍ଥରେ ରାସ୍ତାଘାଟ ଉନ୍ନତି ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯିବ । ଏଥିସହ ଏକାମ୍ର ଯୋଜନାରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଆଗକୁ ନେବା ଲାଗି ପୂର୍ତ ବିଭାଗ ପକ୍ଷରୁ କୁହାଯାଇଛି । ପୁରୀ ଶ୍ରୀମନ୍ଦିର ଭଳି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟୀକରଣ ହେବ । ଏକାମ୍ର କ୍ଷେତ୍ର ଭାବେ ପରିଚିତ ଏହି ୬୬ ଏକର ପରିବ୍ୟପ୍ତ ଅଂଚଳର ଗୌରବମୟ ଐତିହ୍ୟର ଉପଯୁକ୍ତ ସଂରକ୍ଷଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏହା ଅଧୀନରେ ସୁଦୃଶ୍ୟ ପ୍ରବେଶ ପଥ, ବିନ୍ଦୁସାଗରର ପୁନରୁଦ୍ଧାର ଯୋଜନାରେ ବିଭିନ୍ନ ଐତିହ୍ୟ ପୁଷ୍କରଣୀର ପୁନରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାରଗୌରୀ, ମୁକ୍ତେଶ୍ୱର ପରିସରର ବିକାଶ ଓ ବିଭିନ୍ନ ସୁବିଧା ସୁଯୋଗ କରାଯିବ । ଇ-ଅଟୋ ଚାଲିବ, ଐତିହ୍ୟ ବ୍ୟାଖାନ କେନ୍ଦ୍ର ଓ ଥଇଥାନ ଆଦି ୯ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ପ୍ରଥମ ପର୍ଯ୍ୟାୟରେ ଶ୍ରୀଲିଙ୍ଗରାଜ ଥାନା ଓ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଫିସ୍କୁ ଅସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି । ମନ୍ଦିର ଚାରିପଟେ ପରିକ୍ରମା ପାଇଁ ରାସ୍ତା ନିର୍ମାଣ, ମନ୍ଦିର ସମ୍ମୁଖ ରାସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ହେବ । ଭକ୍ତମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ତା’ର ବ୍ୟବସ୍ଥା କରାଯିବା ଟ୍ର।ଫିକ ହ୍ରାସ ଓ ଯାତୟାତର ସୁବିଧା ପାଇଁ ତାଳେଶ୍ୱର ଛକଠାରୁ ବଢେ଼ଇବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ । ୪ଟି ସ୍ଥାନ ଯଥା ଲିଙ୍ଗରାଜ ମାର୍କେଟ୍ ନିକଟରେ, ସାନେଟୋରିୟମ୍ ଛକ, ସୁଭଦ୍ରା ମହାତାବ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ, ରଥ ରୋଡ୍ରେ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ । ଏହାବ୍ୟତୀତ ବିନ୍ଦୁସାଗର ଜଳକୁ ପରିଷ୍କାର କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସମେତ କେଦାରଗୌରୀ, ପାପନାଶିନୀ, ଗୋଦାବରୀ, କୋଟିତୀର୍ଥ, ରଙ୍ଗାଯମୁନା ଓ ଦେବୀପାଦହରା ଐତିହ୍ୟ ପୁଷ୍କରଣୀର ପୁନରୁଦ୍ଧାର ଓ ସଂରକ୍ଷଣ କରାଯିବା ଲିଙ୍ଗରାଜ ମନ୍ଦିରର ନିରାପତାକୁ ମଧ୍ୟ ଆହୁରି ସୁଦୃଢ଼ କରାଯିବ । ସରକାରଙ୍କ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବା ଦ୍ୱାରା ଜୀବିକା ହରାଉଥିବା ଉଠାଦୋକାନୀଙ୍କୁ ଦୁଇଟି କିସ୍ତିରେ ୩୦ହଜାର ଟଙ୍କା ଏକକାଳୀନ ସହାୟତା ଦିଆଯିବ ଓ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇ ସେମାନଙ୍କୁ ଥଇଥାନ କରାଯିବ । ସ୍ଥିତିବାନ ଆବାସିକ ଗୃହ ବା ବ୍ୟାବସାୟିକ ଗୃହ ଉଚ୍ଛେଦ କ୍ଷେତ୍ରରେ କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରାଯାଇ ନିୟମ ଅନୁସାରେ କ୍ଷତିପୂରଣ ଦେବାକୁ ଯୋଜନା ରହିଛି । ବର୍ତମାନ ସୁଦ୍ଧା ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ସେଡ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ସୌନ୍ଦର୍ଯ୍ୟୀକରଣ ଲାଗି ବିଭିନ୍ନ ସ୍ଥାନରେ ଫୁଲ କୁଣ୍ଡଗୁଡ଼ିକୁ ସୁସଜ୍ଜିତ ଭାବେ ରଖାଯାଇଛି । ଲିଙ୍ଗରାଜ ଥାନା ଓ ଶୌଚାଳୟ ଉଠାଇ ଦିଆଯାଇଥିବାରୁ ଏବେ କାର୍ଯ୍ୟ ଆଗକୁ ବଢ଼ୁଛି । ଭଜନ ମଣ୍ଡପ, ପୁରୁଣା ଲିଙ୍ଗରାଜ ମାର୍କେଟ୍କୁ ବି ହଟାଇ ଦିଆଯାଇଛି । ଅସ୍ଥାୟୀ ଦୋକାନ ହଟାଇ ଦିଆଯାଇଥିବା ବେଳେ ଏବେ ସ୍ଥିତିବାନ ହଟାଇବା କାର୍ଯ୍ୟ ଜାରି ରହିଛି । ଲକ୍ଡାଉନ୍ ଯୋଗୁଁ କିଛି ଦିନ ଲାଗି ଉଲ୍ଲେଦ ପ୍ରଭାବିତ ହୋଇଥିଲା । ତେବେ ଗତ ଦୁଇ ମାସ ହେଲା ପୁଣିଥରେ ସ୍ଥିତିବାନ ଲୋକଙ୍କ ଘର ଉଚ୍ଛେଦ ଜାରି ରହିଛି । ଆଜି ସୁଦ୍ଧା ପ୍ରାୟ ୬୦ ପ୍ରତିଶତ ଉଚ୍ଛେଦ ହୋଇସାରିଥିବା ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି ।