ଭୁବନେଶ୍ୱର –କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଯାତ୍ରୀଙ୍କ ନିରାପଦ ଯାତ୍ରା ନିମନ୍ତେ ରେଳବାଇ ଡିଜାଇନ୍ କରିଛି ପୋଷ୍ଟ କୋଭିଡ କୋଚ୍ । କପୁରତାଲା ସ୍ଥିତ ଭାରତୀୟ ରେଳଡବା କାରଖାନା ପକ୍ଷରୁ କୋଭିଡ ପରବର୍ତୀ କୋଚ୍ ନିର୍ମାଣ ପାଇଁ ସ୍ୱତନ୍ତ୍ର ଧରଣର ନିରାପଦ କୋଚ୍ ଡିଜାଇନ୍ ପ୍ରସ୍ତୁତ ହୋଇଛି । ଏଥିରେ ରେଳଡବା ଭିତରେ ଯେଉଁସବୁ ସୁବିଧା ସୁଯୋଗ ରହିଛି ତାହାକୁ ନ ଛୁଇଁ ସେସବୁର ବ୍ୟବହାର କରାଯାଇପାରିବ । ଏହି କୋଚ୍ରେ ହ୍ୟାଣ୍ଡ ରେଲ୍ ଓ ଲ୍ୟାଚେସ୍ ଉପରେ ତମ୍ବାର ଆବରଣ ଦିଆଯାଇଛି । ଡବା ଭିତରେ ପ୍ଲାଜମା ବାୟୁ ବିଶୋଧକ ବ୍ୟବସ୍ଥା ଓ ଟାଇଟାନିଅମ ଡାଇଅକ୍ସାଇଡ କଲେଇ (କୋଟିଂ) କରାଯାଇଛି, ଯାହା କରୋନା ଭୂତାଣୁକୁ ନଷ୍ଟ କରିବା ସହିତ ଯାତ୍ରୀମାନଙ୍କୁ ନିରାପଦ ରଖିପାରିବ । ଏହି ନୂଆ କୋଚ୍ରେ ଏଣିକି ଆଉ ହାତରେ ପାଣି ଟ୍ୟାପ ଖୋଲିବାକୁ କିମ୍ବା ସାବୁନ ଉଠାଇବାକୁ ପଡିବନାହିଁ । ନୂଆ ବ୍ୟବସ୍ଥାରେ ଗୋଡ଼ରେ ଛାପିଦେଲେ ପାଣି ଟ୍ୟାପ ଖୋଲିବ ଏବଂ ସାବୁନ ବ୍ୟବହାରର ସୁବିଧା ମିଳିପାରିବ । ଶୌଚାଳୟର ଦ୍ୱାରଗୁଡିକୁ ଯାତ୍ରୀମାନେ ସହଜରେ ଗୋଡ ଦ୍ୱାରା ଖୋଲିପାରିବେ । ସେହିଭଳି ପାଇଖାନାର ଫ୍ଲସ ଭାଲ୍ବ ଗୋଡ ଦ୍ୱାରା ଚାଳିତ ହେବ । ପ୍ରତ୍ୟେକ କମ୍ପାର୍ଟମେଂଟ ଦ୍ୱାରକୁ ଆଉ ହାତରେ ପ ଖୋଲି କହୁଣି ସାହାର୍ଯ୍ୟରେ ଖୋଲାଯାଇପାରିବ ।
ହ୍ୟାଣ୍ଡେରେଲ୍ ଓ ଲ୍ୟାଚ୍ ଉପରେ ତମ୍ବା ଆବରଣ
ପୋଷ୍ଟ କୋଭିଡ କୋଚରେ ଥିବା ହ୍ୟାଣ୍ଡେରେଲ୍ ଓ ଲ୍ୟାଚଗୁଡିକ ଉପରେ ତମ୍ବାର ଆବରଣ ଦିଆଯାଇଛି । କାରଣ ତମ୍ବାର ଜୀବଣୁନାଶକ ଗୁଣ ଥିବାରୁ ତାହା ସଂସ୍ପର୍ଶରେ ଆସିଲେ କରୋନା ଭୂତାଣୁ ଶୀଘ୍ର ମରିଯାଆନ୍ତି । ଏହା ଉପରେ ଭାଇରସ୍ ଲାଗିବା କ୍ଷଣି ତମ୍ବାର ଆୟନ ପ୍ରଭାବରେ ଜୀବାଣୁର ପାଥୋଜେନ୍ ବିସ୍ଫୋରିତ ହୋଇ ଏହାର ଡିଏନ୍ଏ ଓ ଆରଏନ୍ଓକୁ ନଷ୍ଟ କରିଥାଏ ।
ପ୍ଲାଜମା ବାୟୁ ବିଶୋଧକ -ନୂଆ କୋଚ୍ରେ ବ୍ୟବହୃତ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରେ ପ୍ଲାଜମା ବିଶୋଧକ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ଶୀତତାପ ଯନ୍ତ୍ରରୁ ବାହାରୁଥିବା ପବନ ଭୂତାଣୁ ଓ ଜୀବାଣୁମୁକ୍ତ ହେବା ସହିତ ଡବା ଭିତରର ପରିବେଶକୁ ନିରାପଦ ରଖିଥାଏ । ଏସବୁ ଶୀତତାପ ନିୟନ୍ତ୍ରକର ଭିତରେ ଆୟନମୁକ୍ତ ପବନ ବ୍ୟବହାର କରାଯାଉଛି । ଫଳରେ ସଂକ୍ରମଣର ଆଶଙ୍କା ରହିବ ନାହିଁ । ଟାଇଟାନିୟମ ଡାଇଅକ୍ସାଇଡ ପ୍ରଲେ-ପୋଷ୍ଟ କୋଭିଡ କୋଚ୍ରେ

ଟାଇଟାନିୟମ ଡାଇଅକ୍ସାଇଡ ପ୍ରଲେପର ବ୍ୟବହାର କରାଯାଇଛି । ଏହି ପ୍ରଲେପରେ ଥିବା କ୍ଷୁଦ୍ରାତି କ୍ଷୁଦ୍ର ଟାଇଟାନିୟମ ଡାଇଅକ୍ସାଇଡ ଏକ ବିଶୋଧକ ଭାବେ କାର୍ଯ୍ୟ କରେ । ଏହା ପରିବେଶ ଅନୁକୂଳ । ଏହା ଜୀବାଣୁ, ଭୂତାଣୁ , ଫଙ୍ଗସ୍, ଏବଂ ଅନ୍ୟାନ୍ୟ କ୍ଷତିକାରକ କୀଟାଣୁକୁ ନିପାତ କରିଥାଏ । ଏହି ପ୍ରଲେପ ମଣିଷ ପାଇଁ ବିଷାକ୍ତ ନୁହେଁ ।ଏହାର ବ୍ୟବହାର ଆମେରିକାର ଖାଦ୍ୟ ଓ ଭେଷଜ ପ୍ରତିଷ୍ଠାନ ଏଫଡ଼ିଏ ଦ୍ୱାରା ଅନୁମୋଦିତ ହୋଇଛି । ଏହା ମଣିଷର କୌଣସି କ୍ଷତି କରି ନଥାଏ । ଏହି ଟାଇଟାନିୟମ ଡାଇଅକ୍ସାଇଡ ପ୍ରଲେପ ୱାଶବେସିନ, ଶୌଚାଳୟ, ସିଟ୍ ଓ ବର୍ଥ , ସ୍ନାକ ଟେବୁଲ , ଗ୍ଲାସ ୱିଣ୍ଡୋ, ଚଟାଣ ତଥା ଡବା ମଧ୍ୟରେ ଯାତ୍ରା ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ସ୍ଥାନରେ ଦିଆଯିବ । ଏହି ପ୍ରଲେପ ଏକ ବର୍ଷ ପର୍ଯ୍ୟନ୍ତ କାମ କରିବ । ଏହା ଦ୍ୱାରା ରେଳଯାତ୍ରା ସମ୍ପୂର୍ଣ୍ଣ ରୋଗ ନିରୋଧକ ଏବଂ ନିରାପଦ ହୋଇପାରିବ ।