ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ରୋଗୀଙ୍କ ସୁବିଧା, କୋଭିଡ ଯୋଦ୍ଧାଙ୍କ ସୂରକ୍ଷା ସହ ରାଜ୍ୟର ସର୍ବାଧିକ ସଂକ୍ରମିତ ୫ଟି ଫୋକସ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ସୁଧୁଡ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗୁରୁତ୍ୱ ଆରୋପ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲା ସଂପର୍କରେ ସମିକ୍ଷା ଅବସରରେ ଏହା କହିଛନ୍ତି । ଏଥିସହ କୋଭିଡ ଯୋଦ୍ଧାରେ ଆଗରେ ରହି କାର୍ଯ୍ୟ କରୁଥିବା ଯୋର୍ଦ୍ଧାମାନଙ୍କ ମନ ବଳକୁ ଉଚ୍ଚା ରଖିବା ପାଇଁ ସେମାନଙ୍କ ସହ ନିୟମିତ ଯୋଗାଯୋଗ କରିବାଲାଗି ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ପରୀକ୍ଷା ପାଇଁ ଅଧିକ ଲାବୋରେଟୋରୀ ଟେକେନ୍ସିଆଲ ଓ ଅଧିକ ଆମ୍ବୁଲାନ୍ସ ମୁତୟନ କରିବା ଲାଗି ଗୁରୁତ୍ୱ ଦେଇଛନ୍ତି । କରୋନାରେ ଆକ୍ରାନ୍ତ ରୋଗୀଙ୍କ ମୃତଦେହକୁ ମର୍ଯ୍ୟଦା ସହକାରେ ସତ୍କାର କରାଯିବା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସେହିପରି କୋଭିଡ୍ ଯୋଦ୍ଧା ମାନଙ୍କୁ ନିୟମିତ ତାଲିମ ଓ ଉତମ ଖାଦ୍ୟ ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ ଓ ଖୋର୍ଦ୍ଧା ଆଦି ୫ଟି ଜିଲ୍ଲାକୁ ଅଧିକ ପ୍ରବାସୀଙ୍କ ଆଗମନ ଯୋଗୁଁ ସଂକ୍ରମଣ ଆହ୍ୱାନ ମୂଳକ ରହିଛି । ତେଣୁ ଏହି ସବୁ ଜିଲ୍ଲା ଗୁଡିକ ଉପରେ ଫୋକସ କରାଯାଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।