ଶ୍ରୀମନ୍ଦିର ଉପରେ ବଜ୍ରପାତ ବିପଦ ରହିଛି!

ପୁରୀ: ଶ୍ରୀମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣକୁ ନେଇ ଏଏସ୍ଆଇ (ଭାରତୀୟ ପ୍ରତ୍ନତତ୍ୱ ବିଭାଗ) ପାଇଁ ବିବାଦ ନୂଆ କଥା ନୁହେଁ । ପ୍ରତିଥର ଏହାକୁ ନେଇ ବିବାଦ ଉପୁଜିଛି । ଏବେ ରତ୍ନ ସିଂହାସନ ପଥର ବଦଳା ଯିବାକୁ ନେଇ ବିବାଦ ଥମିନି । ଠିକ୍ ଏମିତି ସମୟରେ ପୁଣି ଥରେ ଅତୀତରେ କିଛି ବିବାଦ ଜୀବନ୍ତ ହୋଇଉଠିଛି । ଏହା ଉଭୟ ଏଏସ୍ଆଇ, ଶ୍ରୀମନ୍ଦିର ପ୍ରଶାସନକୁ ଅହୁଆରେ ପକାଇବାକୁ ଯାଉଛି । ନୀଳଚକ୍ର ସେହି ବିରଳ ଧାତବ ଆର୍ଥିଂ ତାର ଏବେ କେଉଁଠି ଅଛି, ତାକୁ ନେଇ ପ୍ରଶ୍ନ ଉଠିଲାଣି । ୨୦୦୩-୦୪ରେ ନୀଳଚକ୍ରରୁ ଏକ ଅଂଶ କାଟି ନିଆଯାଇଥିଲା । ବୋଲି ଅଭିଯୋଗ ହୋଇଥିଲା । କଟା ହୋଇଥିବା ଅଧା ଇଂଚା ନୀଳଚକ୍ର ଏବେ କାହା ପାଖରେ ଅଛି, ତାର ମଧ୍ୟ ପ୍ରମାଣ ହୋଇନାହିଁ । ଏହା ଅସତ୍ୟ ନୁହେଁ ବୋଲି ଜଣାପଡ଼ିବା ପରେ ବି ଅତି ସମ୍ବେଦନଶୀଳ ଏହି ଘଟଣାକୁ ନେଇ କାହିଁକି ଚାପିଦିଆଗଲା, ଅଧିକ ତଦନ୍ତ କରାଗଲା ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଚୁନରା ସେବକ ଶରତ ଚନ୍ଦ୍ର ମହାନ୍ତି । କୁହାଯାଉଛି, ଶ୍ରୀମନ୍ଦିରରେ ଏବେ ଏକ ଦୁର୍ବଳ ଆର୍ଥିଂ ଲାଗିଛି । ଫଳରେ ଶ୍ରୀମନ୍ଦିର ଆଉ ଆଗଭଳି ବଜ୍ରପାତ ସମ୍ଭାଳି ପାରୁନାହିଁ । ବଜ୍ରପାତ ହେଲେ ବାନା, ବାଉଁଶ କଳିଯାଉଛି । ଭାରତୀୟ ପ୍ରତ୍ନତତ୍ୱ ବିଭାଗ ନୂଆ କରି ଲଗାଇଥିବା ଆର୍ଥିଂ ପୂର୍ବଭଳି କାମ ଦେଉନାହିଁ ବୋଲି ଅଭିଯୋଗ ହୋଇଛି । ବରିଷ୍ଠ ଚୁନରା ସେବକଙ୍କ କହିବା କଥା,ଗତ ୩୦ ବର୍ଷ ସେ ଆର୍ଥିଂ ତାର ଅଧିକ ଓଜନର ଥିଲା, ଏହା ବିରଳ ଧାତୁରେ ତିଆରି ହୋଇଥିଲା । ନୀଳ ରଙ୍ଗର ଏହା ମା’ ବିମଳାଙ୍କ ମନ୍ଦିର କୂଅ ପର୍ଯ୍ୟନ୍ତ ଯାଇଥିଲା । ଶହ ଶହ ବର୍ଷ ଧରି ଏହି ଆର୍ଥିଂ ଶ୍ରୀମନ୍ଦିରକୁ ବଜ୍ରପାତରୁ ରକ୍ଷା କରି ଆସୁଥିଲା । ମାତ୍ର ଶ୍ରୀମନ୍ଦିର ଚୁନ ଛତା ହେବ ପରେ ଏହାକୁ ବଦଳାଗଲା । ଦୁର୍ବଳ ତମ୍ବାର ଆର୍ଥିଂ ଲଗାଯାଇଛି । ଯାହା ଶ୍ରୀମନ୍ଦିରକୁ ବାରମ୍ବାର ବିପଦକୁ ଟାଣିଆଣୁଛି । ବଦଳାଯାଇଥିବା ପୁରୁଣା ଆର୍ଥିଂ ତାର ଏବେ କାହା ପାଖରେ ନାହିଁ । ଏହାକୁ ବହୁ ମୂଲ୍ୟରେ ବିକ୍ରି କରିଦିଆଯାଇଥିବା ନେଇ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଯଦି ରଖିଛନ୍ତି ତେବେ ତୁରନ୍ତ ସାମ୍ବାଦିକ ସମ୍ମିଳନୀ କରି ସେ ତାରକୁ ଦେଖାନ୍ତୁ ବୋଲି ସେ ଦାବି କରିଚନ୍ତି । ସେହିଭଳି ଚୁନରା ସେବକ ଶ୍ରୀ ମହାନ୍ତିଙ୍କ କହିବା କଥା, ଗତ ୨୦୦୩-୦୪ରେ ନୀଳଚକ୍ରର ଏକ ଅଂଶ କାଟି ନିଆଯାଇଥିଲା । ଏହାକୁ ନେଇ ସେ ପ୍ରଥମେ ଅଭିଯୋଗ କରିଥିଲେ । ଏହାକୁ ନେଇ ତୁମ୍ବିତୋଫାନ ହୋଇଥିଲା । ତକତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ରାଜେନ୍ଦ୍ର ମହାନ୍ତି ନିଜେ ଧୋତି ପିନ୍ଧି ନୀଳଚକ୍ର ପାଖକୁ ଯାଇଥିଲେ । ନୀଳଚକ୍ରରୁ ଅଧା ଇଂଚର କଟାଯାଇଥିବା କଥା ସେ ସ୍ୱୀକାର କରିଥିଲେ । ଏହାକୁ ନେଇ ରାଜ୍ୟ ତମାମ ହୋହଲ୍ଲୋ ହୋଇଥିଲା । ମାତ୍ର ସମୟକ୍ରମେ ଏ ଘଟଣା ମଧ୍ୟ ଚପିଗଲା । ଏ ପର୍ଯ୍ୟନ୍ତ ସେ ଘଟଣାର କିଛି ପ୍ରମାଣ ମଧ୍ୟ ହେଲା ନାହିଁ କି ଏହି କଟା ଅଂଶ କେଉଁଠି ଅଛି ତାହା କେହି ଜାଣିପାରିଲେ ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

9 + 4 =