ଭୁବନେଶ୍ୱର: କରୋନା ସଂକ୍ରମଣର ହଟସ୍ପଟ ପାଲଟିଥିବା ରାଜ୍ୟର ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଆଜି ଠାରୁ ୧୪ଦିନିଆ ଲକ୍ଡାଉନ୍ ଲାଗୁ ହୋଇଛି । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ମହାନଗର ନିଗମରେ ଦିନକୁ ଦିନ କରୋନା ବେକାବୁ ହେବାରେ ଲାଗିଥିବାରୁ ଲକଡାଉନ୍ ଘୋଷଣା କରାଯାଇଛି ।
ଏହି ୧୪ଦିନିଆ ଲକ୍ଡାଉନ୍ ଆଜି ଠାରୁ ଆସନ୍ତା ୩୧ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତର ରହିବ । ଏହି ସମୟରେ ଲୋକଙ୍କ ଯାଆସ ବନ୍ଦ ରହିବ । ଅତ୍ୟାବଶ୍ୟକ ସେବାକୁ ଛାଡି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍ ଓ ଅନୁଷ୍ଠାନ ବନ୍ଦ ରହିବ । କ୍ଷୀର, ପରିବା, ତେଜରାତି ଦୋକାନ ଆଦି ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ଖୋଲା ରହିବ । ସମସ୍ତପ୍ରକାର ଗାଡି ଚଳାଚଳ ମଧ୍ୟ ବନ୍ଦରହିବ । ତେବେ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମ, ସରକାରୀ, ବେସରକାରୀ ଡାକ୍ତରଖାନା, ନସିଂହୋମ, କ୍ଲିନିକ, ଔଷଧ ଦୋକାନ, ପେଟ୍ରୋଲପମ୍ପ, ଡାକବିଭାଗ, ଟ୍ରେଜେରି, ପରିମଳ, ଜଳଯୋଗାଣ, କୃଷି ଓ ନିର୍ମାଣ କାର୍ଯ୍ୟ ସାମଗ୍ରି ପରିବହନ ଆଦି କଟକଣାମୁକ୍ତ ରହିବ ।
ଏହି ୪ଟି ଜିଲ୍ଲା ଓ ରାଉରକେଲାରେ ୧୪ଦିନ ଲକ୍ଡାଉନ୍ ବେଳେ ସପ୍ତାହକ ଶଟଡାଉନ୍ କଟକଣା ଲାଗୁ ହେବ ନାହିିଁ । ବାକି ସମସ୍ତ ଜିଲ୍ଲାରେ ସପ୍ତାହକ ଶଟଡାଉନ୍ ଲାଗୁ ହେବ । ତେବେ ଲକ୍ଡାଉନ୍ ସମୟରେ ଭୁବନେଶ୍ୱର ଓ କଟକ ଭିତରକୁ ଜରୁରୀ କାରଣ ନଥିଲେ କୌଣସି ଗାଡି ଛଡାଯିବ ନାହିଁ ।
ରାଜ୍ୟର ଅନ୍ୟ ସବୁ ଜିଲ୍ଲାରେ କରୋନା ଉଦ୍ବେଗଜନକ ସ୍ଥିତିରେ ପହଞ୍ଚି ନ ଥିବା ବେଳେ ଏହି ୪ଟି ଜିଲା ଓ ରାଉରକେଲା ମହାନଗର ନିଗମରେ ସ୍ଥିତି ଅଣାୟତ ହେବାରେ ଲାଗିଛି । ତେଣୁ ଏହି ୧୪ଦିନିଆ ଲକ୍ଡାଉନ୍ ସମୟରେ ବ୍ୟାପକ ମାତ୍ରାରେ ସର୍ଭେଲାନ୍ସ ଓ ଟେଷ୍ଟିଂ କରାଯିବ । ଲକଡାଉନ ସମୟରେ କଟକଣାକୁ ଉଲ୍ଲଘଂନ କାରୀଙ୍କ ବିରୋଧରେ ଆଇନ୍ ଅନୁଯାୟୀ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।