ଅସମାହିତ ପ୍ରଶ୍ନ

କେନ୍ଦ୍ର ସରକାର ଓ ଦେଶର ନେତୃତ୍ୱ ସମେତ ଦିଲ୍ଲୀ ଦରବାର ଲାଗି ସବୁଠାରୁ ବଡ଼ ଆସମାହିତ ପ୍ରଶ୍ନ ହେଉଛି, ସୀମାନ୍ତକୁ ନେଇ ଚୀନ୍ ସହ ବାରମ୍ବାର ସୃଷ୍ଟି ହେଉଥିବା ମତଭେଦ ଓ ଉତେଜନା ଯାହାର ସମାଧାନ ଅତୀତରେ ହୋଇନାହିଁ ଏବଂ ବର୍ତମାନ ହେବାର କୌଣସି ଆଶା ଦୃଶ୍ୟମାନ ହେଉନଥିଲା ବେଳେ ଆଗକୁ କିଛି ସମାଧାନର ବାଟ ବାହାରିବ ବୋଲି ଉଭୟ ପକ୍ଷର ବିଶ୍ୱାସ ପ୍ରାୟ ନଥିଲେ ମଧ୍ୟ ଶାନ୍ତିପୁର୍ଣ୍ଣ ସମାଧାନ ଲାଗି ଭାରତ ଓ ଚୀନ୍ର ସାମରିକ ଅଫିସର ସ୍ତରୀୟ ବୈଠକ ଚାଲିଛି । ଏହି ବୈଠକ ଗୁଡିକରେ ଉଭୟ ପକ୍ଷ ସୀମା ସମସ୍ୟାର ଶାନ୍ତିପୁର୍ଣ୍ଣ ସମାଧାନ ପାଇଁ ନିଷ୍ପତି ନେଉଥିଲେ ହେଁ ବେଜିଂ ପକ୍ଷରୁ ବାରମ୍ବାର ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି । ୬୦ ଦଶକ ପରେ ପରେ ଯେଉଁ ଯୁଦ୍ଧ ୧୯୬୨ରେ ଭାରତର ବିଶ୍ୱାସରେ ବିଷଦେଇ ଚୀନ୍ ପକ୍ଷରୁ କରାଯାଇଥିଲା, ତାହାର ଫଳ ସ୍ୱରୁପ ବହୁ ଜାଗା ମ୍ୟାକ୍ମୋହନ ଲାଇନପାଖରୁ ଚୀନ୍ ମାଡିବସି ଥିଲା ବେଳେ ଆଜି ପର୍ଯ୍ୟନ୍ତ ତାହା ଛାଡି ନାହିଁ । ବରଂ ପୁଣି ନିୟନ୍ତଣ ସୀମାରେଖା ଟପି ଭାରତୀୟ ସୀମାକୁ ଜବରଦଖଲ ଲାଗି ଉଦ୍ୟମ ଅବ୍ୟାହତ ରଖିଛି ଓ କେବଳ ସେଥିଲାଗି ଗଲୱାନ ଘାଟିରେ ଉଭୟ ପକ୍ଷ ହାତାହାତି ହୋଇ ଉଭୟ ପକ୍ଷରୁ କେତକ ସୌନ୍ୟ ପ୍ରାଣ ହରାଇଥିଲେ । ଏଇ ଘଟଣାର ପୁନରାବୃର୍ତି ନହେବା ଲାଗି ଉଭୟ ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏଥର ଅତି ସ୍ପଷ୍ଟ ଭାବେ ଶୁଣାଇ ଦିଆଯାଇଛି ଯେ, ସୀମାରୁ ପ୍ରଥମେ ଉଭୟ ପକ୍ଷ ନିଜ ସୀମାକୁ ଯାଇ ରହିବା ଜରୁରି ଓ ସେଥିଲାଗି ଚୀନ୍ ମାନସିକ ସ୍ତରରେ ପ୍ରଥମେ ରାଜି ହେବା ଓ ଏହାକୁ ମାନିନେବା ଦରକାର । ତା ନହେଲେ ସୀମା ସମସ୍ୟା ସମାଧାନ ସହଜରେ ହେବା ଅସମ୍ଭବ । ଏବେ ଆଗକୁ କ’ଣ ହେଉଛି, ତାହା ଦେଖିବାର ଅଛି । ଅତି ଅଳ୍ପଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀମାନ୍ତରେ ଭାରତୀୟ ସୈନ୍ୟଙ୍କୁ ଭେଟିବା ସହ ଦେଇଥିବା ଭାଷଣରେ ପ୍ରଥମେ କହିଥିଲେ ଯେ, ଭାରତର ମସ୍ତକ ହେଉଛି ଲାଦାକ୍ । ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଲାଦାକ୍ ଗସ୍ତ ଆରମ୍ଭ କରିଛନ୍ତି । ଏହା ବ୍ୟତିତ ସୀମାରେ ୬୦ ହଜାରରୁ ଅଧିକ ଭାରତୀୟ ସୈନା ମୁତୟନ ହେବା ସହିତ ଟ୍ୟାଙ୍କ, ହେଲିକପ୍ଟର ଆଦି ରଖାଯାଇଛି । ଚୀନ୍ ମଧ୍ୟ ସୀମାରେ ଯୁଦ୍ଧାସ୍ତ୍ର ଓ ସୈନ୍ୟ ରଖିଛି । ତେଣୁ କେତେବେଳେ କ’ଣ ହେବ ତାହା କେବଳ ଅନୁମାନରେ କୁହାଯାଇ ନପାରେ ।

Leave A Reply

Your email address will not be published.

thirteen − one =