ରାୟଗଡା: ରାୟଗଡା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ସଚେତନ କରାଯାଉଥିଲେ ସୁଦ୍ଧା ଅମାନିଆଙ୍କ ଯୋଗୁଁ କରୋନା ସଂକ୍ରମଣ ଜିଲ୍ଲାରେ ଧୀରେ ଧୀରେ ବଢିବାରେ ଲାଗିଛି । ଆଜି ଜିଲ୍ଲାରେ ନୂଆ କରି ୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୫ ଜଣ ପୁରୁଷ ଥିବା ବେଳେ ୪ ଜଣ ମହିଳା ଅଛନ୍ତି । ରାୟଗଡା ସହରରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ଗୁଣପୁର ସହରରୁ ୯ ଜଣ ଟିହ୍ନଟ ହୋଇଥିବା ବେଳେ ଗୁଣପୁର ସିରିଝୋଲି ପଂଚାୟତ ଅନ୍ତର୍ଗତ ଚିନ୍ତାଲପେଟା ଗ୍ରାମରୁ ୬ ଜଣ ଚିହ୍ନଟ ହୋଇଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖା ୧୮୮ରେ ପହଂଚିଥିବା ବେଳେ ୧୨୬ ଜଣ ସୁସ୍ଥ ହୋଇଛନ୍ତି । କରୋନା ଆକ୍ରାନ୍ତରେ ଜିଲ୍ଲାରୁ ଜଣେ ମାତ୍ର ମୃତ୍ୟୁ ହୋଇଥିବା ନେଇ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ମାନଙ୍କୁ ଜେ.କେ.ପୁର ସ୍ଥିତ କୋଭିଡ ହସ୍ପିଟାଲ, ଗୁଣପୁର କୋଭିଡ କେୟାର ସେଂଟର ଏବଂ ବିଷମକଟକ କୋଭିଡ କେୟାର ସେଂଟରରେ ଚିକିତ୍ସା କରାଯାଉଛି । କରୋନା ଆକ୍ରାନ୍ତ ହୋଇଥିବା ଅଂଚଳ ଗୁଡିକୁ ପ୍ରଶାସନ ତରଫରୁ ନିଷେଧାଚଂଳ ଘୋଷଣା କରାଯାଇଛି । ଗତ ୧୦ ତାରିଖ ଦିନ ରାୟଗଡା ଜିଲ୍ଲାରୁ ୨୭୩ ଜଣଙ୍କ ସ୍ୱାବ ନମୁନା ପରୀକ୍ଷା ନିମନ୍ତେ ଭୂବନେଶ୍ୱର ଆରଏମଆରସି କୁ ପଠାଯାଇଥିଲା । ସେଥି ମଧ୍ୟରୁ ୧୩ କରୋନା ପଜେଟିଭ ଆସିଥିଲା । ସେହିପରି ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ସ୍ୱାବ ନମୁନା ପରୀକ୍ଷା ବେଳେ ୬ ଜଣଙ୍କର ପଜେଟିଭ ଆସିଥିବା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ରାୟଗଡା ଜିଲ୍ଲାପାଳ ଶ୍ରୀବେହେରା ସରକାରଙ୍କ ତରଫରୁ ଜାରୀ କରାଯାଇଥିବା କୋଭିଡ ୧୯ ନିୟମକୁ କଡାକଡି ଭାବେ ମାନିବା ସହ ସାମାଜିକ ଦୂରତା ବଜାୟ ରଖିବା ଏବଂ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ନିୟମିତ ବ୍ୟବଧାନରେ ହାତ ସଫା କରିବା ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।