ଭୁବନେଶ୍ୱର: ଗଞ୍ଜାମର କରୋନା ସ୍ଥିତିକୁ ନେଇ ବିଜେପି ବିଜେଡି ମୁହାଁମୁହିଁ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି କାର୍ଯ୍ୟକର୍ତା ମାନେ । ବିଜେପି ମୁଖପାତ୍ର ଭୃଗୁ ବକ୍ସିପାତ୍ର କହିଛନ୍ତି, ଗଞ୍ଜାମରେ କରୋନା ସଂକ୍ରମଣ ଅଣଆୟତ ହେବାକୁ ଲାଗିଲାଣି କିନ୍ତୁ ରାଜ୍ୟ ସରକାର ସ୍ଥିତି ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ପଦକ୍ଷେପ ଯୋଗୁ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ଏହା ପାଇଁ ରାଜ୍ୟ ସରକାରହିଁ ଦାୟୀ । ଏହାର ଜବାବରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ଗଞ୍ଜାମରୁ କରୋନାକୁ ହଟାଇବାକୁ ନେଇ ରାଜ୍ୟ ସରକାର ସବୁ ବ୍ୟବସ୍ଥା ଓ ପଦକ୍ଷେପ ନେଉଛନ୍ତି । ସେଥିପାଇଁ ରାଜ୍ୟ ସରକାର ସେଠାକୁ ସ୍ୱାସ୍ଥ୍ୟ କର୍ମୀ , ଡାକ୍ତର ଓ ଅନ୍ୟାନ୍ୟ ଭିତିଭୂମି ପଠାଉଛନ୍ତି । ବିଜେପି କାହିଁକି ଏସବୁର ବିରୋଧ କରୁଛି , ବିଜେପି କ’ଣ ଚାହୁଁନି ଗଞ୍ଜାମରୁ କରୋନା ହଟୁ । ବହୁ ଦିନ ଧରି ଗଞ୍ଜାମରେ କାର୍ଯ୍ୟ କରୁଥିବା ପରୀକ୍ଷା କେନ୍ଦ୍ର ଅନ୍ୟ ବହୁ ଜିଲ୍ଲାର ଦାୟିତ୍ୱ ନେଉଥିବାବେଳେ ବିଜେପିକୁ ଏହା ଦେଖାଯାଉନି । ଗୋଳିଆ ପାଣିରୁ ମାଛ ଧିରିବା ରାଜନୀତି ଛାଡି ବିଜେପି ନେତାମାନେ ଦାୟିତ୍ୱ ସମ୍ପନ୍ନ ରାଜନୀତିର ପରିଚୟ ଦିଅନ୍ତୁ ।