ଚନ୍ଦ୍ରଶେଖରପୁର: ମହାମାରୀ କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିଦେବି ବୋଲି ଦାବି କରୁଥିବା ତଥାକଥିତ ବାବା ଆର୍ତତ୍ରାଣଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଲୋକଙ୍କୁ ଅନ୍ଧବିଶ୍ୱାସର ବଶବର୍ତୀ କରିବାକୁ ବାବାଙ୍କ ଅପଚେଷ୍ଟା ବିରୋଧରେ ଏହି ଅଭିଯୋଗ ହୋଇଛି । ଆଇନଜୀବୀ ତପନ ହରିଚନ୍ଦନ ଡାକ ଯୋଗେ ଥାନାକୁ ଅଭିଯୋଗ ପଠାଇବା ପରେ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି । ବାବାଙ୍କୁ ପଚରାଉଚରା କରିବା ପାଇଁ ପୋଲିସ ଲୁମ୍ବିନୀବିହାରସ୍ଥିତ ଦିବ୍ୟ ଚିକିତ୍ସା ଆଶ୍ରମକୁ ଯାଇ ଖାଲି ହାତରେ ଫେରିଥିବା ଜଣାପଡ଼ିଛି । ବାବା ଓ ତାଙ୍କ ସହଯୋଗୀମାନେ ଏହି ଆଶ୍ରମ ଛାଡ଼ି ଜଗତସିଂହପୁର ଆଶ୍ରମକୁ ଚାଲି ଯାଇଥିବାରୁ ପୋଲିସ ତାଙ୍କୁ ପଚରାଉଚରା କରି ପାରିନାହିଁ । ପରେ ପୋଲିସ ତାଙ୍କୁ କିଭଳି ଯୋଗାଯୋଗ କରିବ ଓ ତାଙ୍କ ବିରୋଧରେ କି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ, ତାହା ସ୍ପଷ୍ଟ ହୋଇନାହିଁ । ଆଇନଜୀବୀ ଶ୍ରୀ ହରିଚନ୍ଦନଙ୍କ ଅଭିଯୋଗ ଅନୁଯାୟୀ, ସମଗ୍ର ବିଶ୍ୱରେ ବୈଜ୍ଞାନିକମାନେ ମହାମାରୀ କରୋନା ଉପଚାର ପାଇଁ ଔଷଧ ତିଆରି କରିବାରେ ଲାଗି ପଡ଼ିଛନ୍ତି ଓ ଏ ପର୍ଯ୍ୟନ୍ତ ପୂରା ସଫଳତା ପାଇପାରି ନାହାନ୍ତି । ତେଣୁ ସମଗ୍ର ବିଶ୍ୱବାସୀ ଏକ ଘଡ଼ିସନ୍ଧି ସମୟରେ ଆତଙ୍କିତ ଅବସ୍ଥାରେ ଗତି କରୁଛନ୍ତି । ଠିକ୍ ଏମିତି ପ୍ରତିକୂଳ ସମୟର ସୁଯୋଗ ନେଇ ବାବା ଆର୍ତତ୍ରାଣ ଲୋକଙ୍କ ମୁଣ୍ଡରେ ଅନ୍ଧବିଶ୍ୱାସ ଭର୍ତି କରିବାକୁ ଉଦ୍ୟମ କରିଛନ୍ତି । ସୂଚନା ଯୋଗ୍ୟ, ବାବା କରୋନା ମହାମାରୀକୁ ସାମାନ୍ୟ ରୋଗ ବୋଲି କହିଥିଲେ । ଝଡ଼ା ଫୁଙ୍କାରେ ଏହାକୁୁ ଭଲ କରିଦେବେ ବୋଲି ଗଣମାଧ୍ୟମ ଆଗରେ ଜୋର୍ ଦେଇ କହିଥିଲେ । ଏମିତିକି ତାଙ୍କୁ କୋଭିଡ ହସ୍ପିଟାଲ୍ ଭିତରକୁ ଯିବା ପାଇଁ ସରକାର ଅନୁମତି ଦିଅନ୍ତୁ ଓ ସେ ସମସ୍ତଙ୍କୁ ଛୁଇଁ ଆରୋଗ୍ୟ କରିଦେବେ ବୋଲି କହିଥିଲେ । ତାଙ୍କୁ ଗୋଟିଏ ଫୋନ୍ କଲ୍ କଲେ ମଧ୍ୟ କରୋନା ଆକ୍ରାନ୍ତଙ୍କୁ ମନ୍ତ୍ର ଦ୍ୱାରା ସେ ସୁସ୍ଥ କରିଦେବେ ବୋଲି କହିଥିଲେ । ଏହି ହୀନ ଉଦ୍ୟମ ପଛରେ ତାଙ୍କର ବେପାର ନିଶା ନିହିତ ରହିଛି । ସାଧାରଣ ଲୋକେ ବାବାଙ୍କ ଏଭଳି ଦାବିକ୍ୁ ଗ୍ରହଣ କରି ଶୋଷଣର ଶକାର ହେବେ ବୋଲି ଅଭିଯୋଗକାରୀ ଏତଲାରେ ଦାର୍ଶାଇଛନ୍ତି । ତେଣୁ ଏହାକୁ ଏକ ଅତି ସମ୍ବେଦନଶୀଳ ମାମଲା ଭାବେ ଗ୍ରହଣ କରିବାକୁ ଅଭିଯୋଗକାରୀ ପୋଲିସ ନିବେଦନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବାବାଙ୍କ ଏଭଳି ଦାବିକୁ ପ୍ରଥମେ ବିରୋଧ କରିଥିଲେ ବିଶିଷ୍ଟ ଲେଖିକା ପ୍ରତିଭା ରାୟ । ବାବାଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ ।