ଅଗଷ୍ଟ ୩୧ ଯାଏଁ ବଢିଲା କରୋନା କଟକଣା

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ଅଗଷ୍ଟ ୩୧ ପର୍ଯ୍ୟନ୍ତ ଦେଶରେ କୋଭିଡ୍ କଟକଣା ବୃଦ୍ଧି କରିଛନ୍ତି । ଅଧିକ ପଜିଟିଭ୍ ହାର ଥିବା ଜିଲ୍ଲାମାନଙ୍କରେ କଡ଼ା ପଦକ୍ଷେପ ଗ୍ରହଣ କରିବାପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଏନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି । ସଂକ୍ରମଣ କମିଲେ ସୁଦ୍ଧା ଆତ୍ମସନ୍ତୁଷ୍ଟିର କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏନେଇ ଆଗୁଆ ପଦକ୍ଷେପ ଗ୍ରହଣ କରିବାପାଇଁ କୁହାଯାଇଛି । ଆର ଫ୍ୟାକ୍ଟର ବୃଦ୍ଧି ନହେବା ଦିଗରେ ସ୍ୱତନ୍ତ୍ର ଧ୍ୟାନ ରଖିବାପାଇଁ ସରକାର କହିଛନ୍ତି । କରୋନାର ପୁନଃ ସଂକ୍ରମଣ ହାରକୁ ଆରଫ୍ୟାକ୍ଟର କୁହାଯାଉଛି ।
କିଛି ରାଜ୍ୟରେ ଆର ଫ୍ୟାକ୍ଟର ଅଧିକ ରହୁଛି । ତେଣୁ ରାଜ୍ୟ ସରକାର ଏଦିଗରେ ତତ୍କାଳ ପଦକ୍ଷେପ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସମସ୍ତ ଗହଳି ସ୍ଥାନମାନଙ୍କରେ କୋଭିଡ୍ କଟକଣା ଲାଗୁ ରହିବା ସହ ୫ ରଣନୀତି ଉପରେ ଫୋକସ୍ ରଖିବାପାଇଁ ସରକାର କହିଛନ୍ତି । ଏହି ୫ ରଣନୀତି ହେଉଛି ଟେଷ୍ଟ୍‌, ଟ୍ରାକ୍‌, ଟ୍ରିଟ୍‌, ଟିକାକରଣ ଏବଂ କରୋନା ନିୟମାବଳିର ପାଳନ । କରୋନା ପରିଚାଳନା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାପାଇଁ ସମସ୍ତ ଜିଲ୍ଲାମାନଙ୍କୁ କଡ଼ା ନିର୍ଦ୍ଦେଶାବଳି ଜାରି ହେବା ଉଚିତ୍ ବୋଲି ଗୃହ ସଚିବ କହିଛନ୍ତି ।

Leave A Reply

Your email address will not be published.

four − four =