ଆଗାମୀ କିଛି ସପ୍ତାହ ଗୁରୁତ୍ୱପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦ ।୦୬(ନି.ପ୍ର.) : କରୋନା ଭୂତାଣୁ ମୁକାବିଲା ପାଇଁ ଆଗାମୀ କିଛି ସପ୍ତାହ ବେଶ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିପାଇଁ ଆମକୁ ବ୍ୟାପକ ସତର୍କତା ଗ୍ରହଣ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।
ଆଜି ରାଜ୍ୟରେ କୋଭିଡ଼ ପରିଚାଳନା ସଂକ୍ରାନ୍ତୀୟ ଏକ ବୈଷୟିକ କର୍ମଶାଳାରେ ଯୋଗ ଦେଇ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଡିଏମ୍ଓ, ମେଡିକାଲ କଲେଜର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ବିଭିନ୍ନ କୋଭିଡ଼ ହସ୍ପିଟାଲର କର୍ମକର୍ତାମାନଙ୍କ ସହ ଆଲୋଚନା କରିବା ସମୟରେ ଏହି ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗକୁ ବର୍ଷାଋତୁ ଆରମ୍ଭ ହେବାକୁ ଯାଉଛି । ବର୍ଷାଋତୁରେ ବିଭିନ୍ନ ସଂକ୍ରମକ ରୋଗ ହୋଇଥାଏ । ତେଣୁ କରୋନା ନିୟନ୍ତ୍ରଣ କ୍ଷେତ୍ରରେ ଆଗାମୀ କେତେ ସପ୍ତାହ ଆମପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରାଯିବ । ଏହି ଅଭିଯାନ ମାଧ୍ୟମରେ ଘରକୁ ଘର ବୁଲି କରୋନା ଭୂତାଣୁ ସମେତ ଅନ୍ୟାନ୍ୟ ରୋଗ ଯଥା ଯକ୍ଷ୍ମା, ମ୍ୟାଲେରିଆ ଓ ଡାଇରିଆ ଆଦି ରୋଗ ସମ୍ପର୍କରେ ଯାଂଚ କରିବାକୁ ହେବ । ଏହି ସମୟରେ ସମନ୍ୱିତ ପର୍ଯ୍ୟବେକ୍ଷଣ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।
ରାଜ୍ୟରେ କୋଭିଡ଼ ମୃତ୍ୟୁ ହାର କମ୍ କରିବା ଓ ଆରୋଗ୍ୟ ହାର ବୃଦ୍ଧି କରିବା ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ନିରାପତା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ।
ଗତ କିଛିଦିନ ଧରି ସ୍ୱାସ୍ଥ୍ୟ କର୍ମୀମାନେ କରୋନା ଆକ୍ରାନ୍ତ ହେଉଥିବା ଘଟଣାକୁ ନେଇ ଚିନ୍ତା ପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା କରୋନା ସଂକ୍ରମଣ ନିରୋଧୀ ସୁରକ୍ଷା ଗାଇଡଲାଇନର ଉଲ୍ଲଙ୍ଘନକୁ ଦର୍ଶାଉଛି । ଏଣୁ ସ୍ୱାସ୍ଥ୍ୟକର୍ମୀମାନେ ପ୍ରଥମେ ନିଜର ଓ ନିଜ ଟିମ୍ର ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେଇ ଲୋକମାନଙ୍କ ମଧ୍ୟରେ ଉଦାହରଣ ସୃଷ୍ଟି କରନ୍ତୁ । ସେମାନେ ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରି ସଂକ୍ରମଣକୁ ବ୍ୟାପିବାକୁ ରୋକିବାକୁ ହେବ । ଏହା ଦ୍ୱାରା ହିଁ ବର୍ତମାନର ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣି ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.

two + twenty =