ଆସନ୍ତାକାଲି ସକାଳ ୧୦ଟାରୁ ରାଜ୍ୟରେ କୋଭିଡ ଟୀକାକରଣ ଲାଗି ପ୍ରାକ ଅଭ୍ୟାସ କାର୍ଯ୍ୟକ୍ରମ ହେବ। ପୂର୍ବାହ୍ନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ଡ୍ରାଏ ରନ କରାଯିବ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟର ସବୁ ଜିଲ୍ଲା ଓ ମୁନିସିପାଲିଟି ଅଂଚଳରେ ଏହି କାର୍ଯ୍ୟକ୍ରମ ହେବ। ବଡ ଘରୋଇ ମେଡିକାଲ, ମେଡିକାଲ କଲେଜ, ଉପଖଣ୍ଡ ଚିକିତ୍ସାଳୟ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଡ୍ରାଏ ରନ କରାଯିବ। ଏ ନେଇ ସମସ୍ତ ଜିଲ୍ଲାପାଳ, ପୌର କତୃପକ୍ଷ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ପ୍ରତି ଜିଲ୍ଲାର ୩ଟି କେନ୍ଦ୍ରରେ ଡ୍ରାଏ ରନ ହେବ। ଆଜି ଏ ନେଇ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ବୈଠକରେ କୋଭିଡ ଟିକାର ବିଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ଆଲୋଚନା କରାଯାଇଛି। ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ସ୍ୱତନ୍ତ୍ର ଭାବେ ଏଇଏଫଆଇ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଥିବା ଜଣାପଡିଛି। ସେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ଅଭ୍ୟାସ କାର୍ଯ୍ୟକ୍ରମ ସବୁ ଜିଲ୍ଲାରେ ହୋଇସାରିଛି।