କଟକ : ‘ସମାଜ’ର ୧୦୦ବର୍ଷ ପୂର୍ତ୍ତି ପାଳନ ଅବସରରେ ଐତିହାସିକ ବାରବାଟୀ ଷ୍ଟାଡିୟମ ଛକରେ ରବିବାର ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି’ (ମାନବିକତାର ପ୍ରତୀକ) ସ୍ଥାପନ ହୋଇଛି। ଜିଲା ପ୍ରଶାସନ, ପୂର୍ତ୍ତ ଡିଭିଜନ-୧ ଏବଂ ନାଲକୋ ସହଯୋଗରେ ଗୋପବନ୍ଧୁଙ୍କର ପ୍ରାୟ ୧୨ଫୁଟ ଉଚ୍ଚର ପ୍ରତିମୂର୍ତ୍ତି କ୍ରେନ ସହାୟତାରେ ରବିବାର ଅପରାହ୍ଣରେ ସ୍ଥାପନ କରାଯାଇଥିଲା। ରାଜ୍ୟରେ ଏହା ଗୋପବନ୍ଧୁଙ୍କର ସର୍ବୋଚ୍ଚ ଉଚ୍ଚତାର ପ୍ରତିମୂର୍ତ୍ତି। ଆନୁଷଙ୍ଗିକ କାର୍ଯ୍ୟ ଶେଷ ହେବା ପରେ ଖୁବଶୀଘ୍ର ଏହାର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହେବ ବୋଲି ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି। ଆଜି ଏହି ପ୍ରତିମୂର୍ତ୍ତି ସ୍ଥାପନ ସମୟରେ ମୂର୍ତ୍ତି ନିର୍ମାଣ କରିଥିବା ଶିଳ୍ପୀ ରବି ରଥ, ପୂର୍ତ୍ତ ଡିଭିଜନ-୧ର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରକାଶ ବେହେରା, ସହକାରୀ ଯନ୍ତ୍ରୀ ଅବିନାଶ ପରିଡାଙ୍କ ସମେତ ଟ୍ରାଫିକ ପୁଲିସ ଓ ‘ସମାଜ’ର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଅପରାହ୍ଣ ୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରାୟ ୬ଘଣ୍ଟା ଧରି ଏହି ସ୍ଥାପନ କାର୍ଯ୍ୟ ଚାଲିଥିଲା।