ଏନ୍ଭିଏସ୍-୦୧’ ଉପଗ୍ରହର ସଫଳ ଉତକ୍ଷେପଣ

ଶ୍ରୀହରିକକୋଟା : ଆଜି ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଶ୍ରୀହରିକୋଟାସ୍ଥିତ ‘ସତୀଶ ଧୱନ୍ ସ୍ପେସ୍ ସେଣ୍ଟର୍’ରୁ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ‘ଏନ୍ଭିଏସ୍-୧’ ସାଟେଲାଇଟ୍ର ସଫଳ ଉତକ୍ଷେପଣ କରାଇଛି । ୨୨୩୨ କିଲୋଗ୍ରାମ୍ ଓଜନର ଏହି ଦିଗବାରେଣୀ ବା ‘ନେଭିଗେସନ୍ ସାଟେଲାଇଟ୍’କୁ ‘ସତୀଶ ଧୱନ୍ ସ୍ପେସ୍ ସେଣ୍ଟର୍’ର ଦ୍ୱିତୀୟ ଲଞ୍ଚ୍ ପ୍ୟାଡରୁ ୫୧.୭ ମିଟର୍ ଉଚ୍ଚ ରକେଟ୍ ‘ଜିଏସ୍ଏଲ୍ଭି ଏଫ୍୧୨’ଦ୍ୱାରା ମହାକାଶକୁ ଉତକ୍ଷେପଣ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୦.୪୨ରେ ଛଡ଼ାଯାଇଥିବା ଏହି ରକେଟ୍ ୨୦ ମିନିଟ୍ ଧରି ମହାକାଶକୁ ଉଠିବା ପରେ ସେଥିରେ ଥିବା ସାଟେଲାଇଟ୍କୁ ତା’ର ନିର୍ଦ୍ଧିଷ୍ଟ କକ୍ଷପଥକୁ ଛଡ଼ାଯାଇଥିଲା । ‘ଏନ୍ଭିଏସ୍-୦୧’ ନାମକ ଏହି ସାଟେଲାଇଟ୍ ‘ଏଲ୍୧’, ‘ଏଲ୍୫’ ଏବଂ ‘ଏସ୍ ବ୍ୟାଣ୍ଡ୍’ ଆଦି ‘ପ୍ଲେଲୋଡ୍’ ନେଇ ଯାଇଛି । ଏଥିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଗୋଟାଏ ‘ରୁବିଡିୟମ୍ ଆଟମିକ୍ କ୍ଲକ୍’ (ଆଟମିକ୍ ଘଣ୍ଟା) ମଧ୍ୟ ରହିଛି । ‘ରୁବିଡିୟମ୍ ଆଟମିକ୍ କ୍ଲକ୍’ର ନିର୍ମାତା ହେଉଛନ୍ତି, ଅହମଦାବାଦସ୍ଥିତ ‘ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର୍’ । ସ୍ୱଳ୍ପ କେତେକ ଦେଶ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାର ଅଧିକାରୀ ବୋଲି ‘ଇସ୍ରୋ’ କହିଛି । ଏହି ସାଟେଲାଇଟ୍ ଉଭୟ ସାମରିକ ଓ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସେବା ଯୋଗାଇବ । ଏହାର ନେଟ୍ୱାର୍କ ଅଞ୍ଚଳ ଭାରତ ଓ ଭାରତ ସୀମା ବାହାରର ୧୫୦୦ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ କାର୍ଯ୍ୟ କରିବ । ଏହି ସାଟେଲାଇଟ୍ ୧୨ ବର୍ଷରୁ ଅଧିକ ସମୟ ଧରି କକ୍ଷପଥରେ ପରିକ୍ରମା କରିବା ସହିତ ସେବା ଯୋଗାଇବ ବୋଲି ‘ଇସ୍ରୋ’ କହିଛି ।

Leave A Reply

Your email address will not be published.

two × 1 =