ନୂଆଦିଲ୍ଲୀ: ଦେଶରେ ଚଳିତ ବର୍ଷ ସ୍ୱାଭାବିକ ମୌସୁମୀ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍ଡି) ପୂର୍ବାନୁମାନ କରିଛିି । ଦେଶରେ ୯୮% ବର୍ଷା ହେବ ବୋଲି ଆଇଏମ୍ଡି ଆକଳନ କରିଛି । ଚଳିତ ବର୍ଷ ଜୁନ୍ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକ ବୃଷ୍ଟିପାତ ହେବାର ସମ୍ଭାବନା ୪୦ ପ୍ରତିଶତ । ତେବେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ମାତ୍ର ୨୧ ପ୍ରତିଶତ ବୋଲି ପାଣିପାଗ ବିଭାଗ କହିଛି ।
ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ‘ଦୀର୍ଘକାଳୀନ ହାରାହାରି ହିସାବରେ ଚଳିତ ବର୍ଷ ମୌସୁମୀ ଋତୁରେ ୯୮ ପ୍ରତିଶତ ବର୍ଷା ହେବ । ଯାହା ସ୍ୱାଭାବିକ ମୌସୁମୀ ଭାବେ ଗୃହୀତ ହୋଇଥାଏ । ଏହା ଦେଶ ପାଇଁ ଅତ୍ୟନ୍ତ ଶୁଭ ଖବର । ସାଧାରଣତଃ ଦକ୍ଷୀଣ ପୂର୍ବ ମୌସୁମୀ ଦେଶପାଇଁ ୭୫% ବର୍ଷା ଆଣିଥାଏ । ମୌସୁମୀରେ ସ୍ୱାଭାବିକ ବୃଷ୍ଟିପାତ ହେଲେ ଦେଶରେ କୃଷି ଉତ୍ପାଦନ ଭଲ ହେବାରେ ସାହାର୍ଯ୍ୟ କରିବ । ତେବେ ଏହା ୫ ପ୍ରତିଶତ କମ୍ ବେଶୀ ହୋଇପାରେ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ (ଜୁନ୍ରୁ ସେପ୍ଟେମ୍ବର) ମଧ୍ୟରେ ହାରାହାରି ବୃଷ୍ଟିପାତ ୯୬ରୁ ୧୦୪ ପ୍ରତିଶତ ମଧ୍ୟରେ ରହିପାରେ । ଯାହାକି ସ୍ୱାଭାବିକ ୧୯୬୧-୨୦୧୦ ମଧ୍ୟରେ ଦେଶରେ ହୋଇଥିବା ମୌସୁମୀ ବୃଷ୍ଟିପାତର ହାରାହାରିକୁ ଦୀର୍ଘକାଳୀନ ଅବଧି ହାରାହାରି ଭାବେ ପାଣିପାଗ ବିଭାଗ ହିସାବ କରିଥାଏ । ଏହି ହିସାବ ଅନୁସାରେ ମୌସୁମୀ ଋତୁରେ ୮୮ ସେଂଟିମିଟର ବା ୮୮୦ ମିଲିମିଟର ବର୍ଷା ହେଲେ ତାହାକୁ ଦୀର୍ଘକାଳୀନ ହାରାହାରି କୁହାଯାଏ ।
ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଚାରି ମାସରୁ ବୃଷ୍ଟିପାତ ପାଇଁ ପ୍ରଥମ ଲଙ୍ଗ୍ ରେଞ୍ଜ ପୂର୍ବାନୁମାନ ପ୍ରକାଶ କରିବାବେଳେ ଭୂ.ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍ ରାଜୀବ ମଧ୍ୟ ଅନୁରୂପ ମତ ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ସ୍ୱାଭାବିକ ମୌସୁମୀ ବୃଷ୍ଟିପାତ ହେଲେ ଲଗାତାର ତୃତୀୟ ବର୍ଷ ପାଇଁ ଏପରି ହେବ ବୋଲି କୁହାଯାଉଛି । ୨୦୧୯ ଓ ୨୦୨୦ ମୌସୁମୀରେ ମଧ୍ୟ ସ୍ୱାଭାବିକ ବୃଷ୍ଟିପାତ ହୋଇଥିଲା । ଏହା ପୂର୍ବରୁ ୧୯୯୬, ୧୯୯୭ ଓ ୧୯୯୮ ତିନି ବର୍ଷ ମଧ୍ୟରେ ଭାରତରେ ସ୍ୱାଭାବିକ ମୌସୁମୀ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
ଆସନ୍ତା ମେ ୧୫ ତାରିଖରେ ପାଣିପାଗ ବିଭାଗ ପୁଣି ଥରେ ଆସନ୍ତା ମୌସୁମୀ ବୃଷ୍ଟିପାତ ନେଇ ପୂର୍ବାନୁମାନ କରିବ । କେରଳରେ କେବେ ମୌସୁମୀ ପ୍ରବେଶ କରିବ ତାହା ସେହିଦିନ ଘୋଷଣା କରାଯିବ । ସେହିପରି ମେ ଶେଷ ସପ୍ତାହରେ ବିଭିନ୍ନ ରାଜ୍ୟରେ କେବେ ମୌସୁମୀ ପହଂଚିବ ତାହାର ଆକଳନ ପ୍ରକାଶ କରାଯିବ । ଜୁନ୍ ମାସରେ ପୁଣି ଥରେ ମୌସୁମୀ ନେଇ ବିବରଣୀ ପ୍ରଦାନ କରିବ ପାଣିପାଗ ବିଭାଗ ।
ଅନ୍ୟପକ୍ଷରେ ଆଇଏମ୍ଡି କହିଛି ଯେ, ଦେଶର ପୂର୍ବ ଓ ଉତର ପୂର୍ବଭାଗର ବହୁ ଅଂଶ ସହ ଝାଡଖଣ୍ଡ, ଓଡିଶା, ବିହାର ଏବଂ ଉତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ମୌସୁମୀ ସ୍ୱାଭାବିକ କିମ୍ବା ସ୍ୱାଭାବିକ ଠାରୁ ଅଧିକ ହୋଇପାରେ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛି ।
ଦକ୍ଷୀଣପଶ୍ଚିମ ମୌସୁମୀ ବାୟୁ ପ୍ରଥମେ ସାଧାରଣତଃ ଜୁନ୍ ପ୍ରଥମ ସପ୍ତାହରେ କେରଳର ଦକ୍ଷିଣ ଅଞ୍ଚଳକୁ ସ୍ପର୍ଶ କରେ ଏବଂ ସେପ୍ଟେମ୍ବର ସୁଦ୍ଧା ରାଜସ୍ଥାନରୁ ପ୍ରତ୍ୟାବର୍ତନ ଆରମ୍ଭ କରେ । ଏଥର ବର୍ଷା ଚାରିମାସରେ ସ୍ୱାଭାବିକ ବୃଷ୍ଟିପାତ ୯୬%ରୁ ୧୦୪% ମଧ୍ୟରେ ରହିବ । ସୂଚନାଯୋଗ୍ୟ, ପାଣିପାଗ ବିଭାଗ କହିଥିଲେ ଯେ, ଗତ ସେପ୍ଟେମ୍ବର ମାସରେ ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ଠାରୁ ଅଧିକ ଥିଲା । ଗତ ୩୦ ବର୍ଷ ମଧ୍ୟରେ ଏହା ଥିଲା ସେପ୍ଟେମ୍ବର ମାସରେ ସବୁଠୁ ଅଧିକ ବୃଷ୍ଟିପାତ ।