ୱାଶିଂଟନ- କରୋନା ଟିକାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ସଫଳ ହୋଇଛି । ଫାର୍ମା କମ୍ପାନୀ ମୋଡେର୍ନା ପକ୍ଷରୁ ଏହି ପରିକ୍ଷଣ କରାଯାଇଛି । ଏହି ଟିକା ନେଇଥିବା ରୋଗୀଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବା ପରୀକ୍ଷଣର ଫଳାଫଳରୁ ସ୍ପଷ୍ଟ ହୋଇଛି । ଆମେରିକୀୟ ଗବେଷକ ମାନଙ୍କ ତଥ୍ୟ ଅନୁସାରେ , ପ୍ରଥମ ପର୍ଯ୍ୟାୟରେ ୪୫ ସ୍ୱୟଂସେବକଙ୍କ ଉପରେ ଏହି ଟିକା ର ପରୀକ୍ଷଣ କରାଯାଇଛି । ଯେଉଁମାନଙ୍କୁ ୨ଥର ଟିକା ଦିଆଯାଇଛି ସେମାନଙ୍କ ନିକଟରେ କରୋନା ଭୂତାଣୁକୁ ମାରୁଥିବା ଆଂଟିବଡି ଅଧିକମାତ୍ରାରେ ବିକଶିତ ହେଉଛି ବୋଲି ନୁ୍ୟ ଇଂଲଣ୍ଡ ଜର୍ନାଲରେ ଗବେଷଣା ସମ୍ବନ୍ଧୀୟ ଏକ ରିପୋର୍ଟ ପ୍ରକାଶ ପାଇଛି । ଅନ୍ୟପଟେ ପରୀକ୍ଷାରେ ସାମିଲ ହୋଇଥିବା ସ୍ୱୟଂସେବକମାନଙ୍କ ଠାରେ କୌଶସି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳି ନଥିବା କୁହାଯାଇଛି ।କେବଳ ସେମାନେ ଥକ୍କାପଣ , ମୁଣ୍ଡବିନ୍ଧା, ଥଣ୍ଡା ଲାଗିବା , ମାଂସପେଶୀରେ ଦରଜ ଏବଂ ଟିକା ନେଇଥିବା ସ୍ଥାନରେ ଦରଜ ଅନୁଭବ କରିଛନ୍ତି । ଯେଉଁମାନେ ୨ଥର ଟିକା ନେଇଛନ୍ତି କେବଳ ସେମାନଙ୍କ ଠାରେ ହିଁ ଏହି ଲକ୍ଷଣ ଦେଖାଯାଇଛି । ସୂଚନାଅନୁସାରେ , ମୋଡେର୍ନା ହେଉଛି ପ୍ରଥମ କମ୍ପାନୀ, ଯିଏ କରୋନା ଟିକାର ମାନବ ପରୀକ୍ଷଣ ଗତ ମାର୍ଚ୍ଚ ୧୬ରେ ଆରମ୍ଭ କରିଥିଲେ । ଭୂତାଣୁ ଜେନେଟିକ୍ ସିକ୍ୱେନ୍ସ ଜାରି ରହିବାର ୬୬ ଦିନ ପରେ କମ୍ପାନୀ ଟିକା ପ୍ରସ୍ତୁତ କରିବା ସହିତ ଏହାର ପରୀକ୍ଷଣ କରିଥିଲା । ନ୍ୟାଶନାଲ ଇନଷ୍ଟିଚ୍ୟୁଟଅଫ୍ ଆଲର୍ଜୀ ଆଣ୍ଡ ଇନଫେକ୍ସିସ ଡିଜିଜ୍ର ନିର୍ଦେଶକ ଡା.ଆଂଟୋନୀ ଫୋସୀ ଏହାକୁ ଏକ ଶୁଭ ଖବର ବୋଲି କହିଛନ୍ତି ।ତେବେ ଟିକାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନ ଥିବାରୁ ଏହାଦ୍ୱାରା ଉଚ୍ଚ ସ୍ତରର ଆଂଟି ବଡି ପ୍ରସ୍ତୁତ ହୋଇପାରିବ ବୋଲି ସେ କହିଛନ୍ତି ।