ନୂଆଦିଲ୍ଲୀ- ଦେଶରେ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ୭ଲକ୍ଷକୁ ଅତିକ୍ରମ କରିଛି । ତେବେ ଗତ ୨୪ଘଂଟା ମଧ୍ୟରେ ଆଉ ୨୨ ହଜାର ୬୬୪ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ସହ ଏଯାବତ ମୋଟ ୭ଲକ୍ଷ ୮୭ ଜଣ ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ଦେଶରେ କୋଭିଡ-୧୯ ଆରୋଗ୍ୟ ହାର ୬୨.୬୧ ପ୍ରତିଶତ ରହିଛି । ସେହିପରି କୋଭିଡ-୧୯ ରେ ସଂକ୍ରମିତ ହୋଇ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନଙ୍କ ସଂଖ୍ୟା ୩ଲକ୍ଷ ୯୦ ହଜାର ୪୫୯ ରହିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣାଳୟ କହିଛି , ଗତ ୨୪ ଘଂଟା ଭିତରେ ଆଉ ୪୦ ହଜାର ୪୨୫ ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହେବା ସହ ମୋଟ ସଂକ୍ରମିତମାନଙ୍କ ସଂଖ୍ୟା ୧୧ଲକ୍ଷ ୧୮ହଜାର ୪୩ରହିଛି । ଦେଶରେ କରେନା ସଂକ୍ରମଣ ଆରମ୍ଭ ହେବାର ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ସଂକ୍ରମଣ । ସେହିପରି ଗୋଟିଏ ଦିନରେ ୬୮୧ଜଣ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭ ହଜାର ୪୯୭ରେ ପହଂଚିଛି । ତେବେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବା ଜାରି ରହିଛି ବର୍ତମାନ କରୋନା ମୃତ୍ୟୁ ହାର ୨.୪୫ଭାଗ ରହିଛି । ଆରୋଗ୍ୟ ହାର ଦୃଷ୍ଟିରୁ ଦେଶର ପ୍ରମୁଖ ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ମଧ୍ୟରେ ଲଦାଖ, ଦିଲ୍ଲୀ, ହରିଆଣା, ରାଜସ୍ଥାନ ଓ ଗୁଜୁରାଟ ରହିଛି । ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ଆରୋଗ୍ୟ ହାର ଶତକଡା ୭୨ ଭାଗରୁ ଅଧିକ ରହିଛି । ଦେଶର ଆଉ ୧୮ଟି ରାଜ୍ୟ ଓ କେନ୍ଦ୍ରଶସିତ ଅଂଚଳର ଆରୋଗ୍ୟ ହାର ମଧ୍ୟ ଜାତୀୟ ଅରୋଗ୍ୟ ହାରଠାରୁ ଉପରେ ରହିଛି । ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ ଶୀର୍ଷସ୍ଥାନରେ ଥିବାବେଳେ ତାହା ପରକୁ ତାମିଲନାଡୁ ଓ ଦିଲ୍ଲୀ ରହିଛି । ମଣିପୁର, ନାଗାଲାଣ୍ଡ , ସିକିମ୍, ମିଜୋରାମ ଓ ଆଣ୍ଡାମାନ ଓ ନିକୋବର ଦ୍ୱିପପୁଞ୍ଜ ଭଳି ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ରବିବାର କରୋନାରେ କାହାରି ମୃତୁ୍ୟ ହୋଇନାହିଁ । ଦେଶର ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୃତୁ୍ୟହାର ଜାତୀୟ ମୃତୁ୍ୟହାର ଠାରୁ ମଧ୍ୟ କମ୍ ରହିଛି । ଅନ୍ୟପଟେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଲୋକମାନଙ୍କ ମଧ୍ୟର ଶତକଡା ୬୭ ଭାଗ ସଂକ୍ରମିତ ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ , ଆନ୍ଧ୍ରପ୍ରଦେଶ ଓ ଉତରପ୍ରଦେଶ ରହିଛନ୍ତି । ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କହିଛି , ଗତ ୨୪ ଘଂଟା ଭିତରେ ଆଉ ୨ଲକ୍ଷ ୫୬ ହଜାର ୩୯ଟି ନମୁନା ପରୀକ୍ଷା କରାଯାଇଛି । ଏପର୍ଯ୍ୟନ୍ତ ମୋଟ୍ ୧କୋଟି ୪୦ଲକ୍ଷ ୪୭ହଜାର ୯୦୮ଟି ନମୁନାର ପରୀକ୍ଷା କରାଯାଇ ସାରିଛି ।