ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଦ୍ୟ ବଢୁଛି । ଯାହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତି ପଂଚାୟତରେ କୋଭିଡ କେୟାର ହୋମ ତିଆରି କରାଯାଉଛି । ଗ୍ରାମାଂଚଳରେ କ୍ୱାରେଂଟାଇନ ସ୍ୱାସ୍ଥ୍ୟସେବାକୁ ସଶନ୍ତ କରିବା ଉଦେ୍ଧଶ୍ୟରେ ୬୭୯୮ ଗ୍ରାମପଂଚାୟତରେ ୬,୦୮୧ଟି କୋଭିଡ କେୟାରହୋମ ସ୍ଥାପିତ ହୋଇଛି । ଏଥିରେ ମୋଟ ୬୦,୯୭୪ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ତେବେ ବର୍ତମାନ ପ୍ରତି ପଂଚାୟତରେ ହୋଇଥିବା କୋଭିଡ କେୟାର ହୋମ ପାଇଁ ନିଯୁକ୍ତି ପ୍ରକାଶ ପାଇଛି । ପ୍ରତି ହୋମ ପାଇଁ ଜଣେ ଜଣେ ଏଏନ୍ଏମକୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ ।
ଏଥିସହ ୬ହଜାର ୭୯୮ଟି ପଂଚାୟତ ପାଇଁ ପ୍ରାୟ ୭୦୦୦ ଏଏନ୍ଏମକୁ ନିଯୁକ୍ତି ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତି ପଂଚାୟତରେ କୋଭିଡ କେୟାର ଦାୟିତ୍ୱରେ ଜଣେ ଲେଖାଏଁ ଏଏନ୍ଏମ୍ ରହିବେ । ଯଦି ଆବଶ୍ୟକ ସ୍ଥଳେ ତାଲିମପ୍ରାପ୍ତ ଏଏନ୍ଏମ୍ ନ ମିଳିବେ , ତେବେ ଷ୍ଟାଫ୍ ନର୍ସ କିମ୍ବା ଫାର୍ମାସିଷ୍ଟଙ୍କୁ ଦିଆଯିବ ନିଯୁକ୍ତି । ଏଥିସହ ଏଏନ୍ଏମ୍, ନର୍ସ ଓ ଫାର୍ମାସିଷ୍ଟଙ୍କ ନିଯୁକ୍ତି ସହ ଦରମା ମଧ୍ୟ ପ୍ରକାଶ ପାଇଛି । ଏଏନ୍ଏମ କୁ ଦୈନିକ ୮୫୦ ଟଙ୍କା ମିଳିବାକୁ ଥିବା ବେଳେ ନର୍ସ ଓ ଫାର୍ମାସିଷ୍ଟଙ୍କୁ ଦୈନିକ ୧ହଜାର ଟଙ୍କା ମିଳିବ । ଏଏନ୍ଏମ, ନର୍ସ ଓ ଫାର୍ମାସିଷ୍ଟ ମାନଙ୍କୁ ୩ମାସ ପାଇଁ ଅସ୍ଥାୟୀ ନିଯୁକ୍ତି ଦିଆଯିବ ।